• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅଙ୍ଗନବାଡ଼ି କେନ୍ଦ୍ରଠାରୁ ୫ କି.ମି. ଦୂରରେ ବଡ଼ପାଟି ଗାଁ: ପାଠପଢ଼ାରୁ ବଞ୍ଚିତ ୧୫ ଶିଶୁ!

Byodishri Live

Nov 6, 2026

ଗାଁରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଦାବି; ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା

ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମାଞ୍ଚଳର ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ସହ ଗର୍ଭବତୀ ମହିଳା ଓ ଶିଶୁଙ୍କ ପୁଷ୍ଟି ଏବଂ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ସେବା ଯୋଗାଇ ଦେଉଛନ୍ତି। କିନ୍ତୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ ଭାଲିଆକଟା ପଞ୍ଚାୟତ ଅନ୍ତର୍ଗତ ବଡ଼ପାଟି ଗାଁରେ ଏହି ସେବା ପହଞ୍ଚିବାରେ ଦୂରତା ବାଧକ ସାଜିଛି।

ଗ୍ରାମରୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରର ଦୂରତା ପ୍ରାୟ ୫ କିଲୋମିଟର ହୋଇଥିବାରୁ ଛୋଟ ପିଲାମାନଙ୍କ ପକ୍ଷେ ଏତେ ଦୂର ଯାଇ କେନ୍ଦ୍ରରେ ପହଞ୍ଚିବା ସମ୍ଭବ ହେଉନାହିଁ। ଫଳରେ ଗାଁର ପ୍ରାୟ ୧୫ ଜଣ ଶିଶୁ ପ୍ରାରମ୍ଭିକ ଶିକ୍ଷା ଓ ଅଙ୍ଗନବାଡ଼ି ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ଏହା ସହିତ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନେ ମଧ୍ୟ ନିୟମିତ ସ୍ୱାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଇବାରେ ଅସୁବିଧା ଭୋଗୁଥିବା ଜଣାପଡ଼ିଛି।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗାଁର ମହିଳା ଓ ମା’ମାନେ ଏକାଠି ହୋଇଛନ୍ତି। ଶିଶୁମାନଙ୍କ ଭବିଷ୍ୟତ ଓ ମାତୃ-ଶିଶୁ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବଡ଼ପାଟି ଗାଁରେ ଏକ ଅଙ୍ଗନବାଡ଼ି ଉପକେନ୍ଦ୍ର ଖୋଲିବାକୁ ସେମାନେ ଦାବି କରିଛନ୍ତି। ଏନେଇ ମହିଳାମାନେ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏବେ ବଡ଼ପାଟି ଗାଁର ଶିଶୁ ଓ ମା’ମାନଙ୍କୁ ନିକଟରେ ଅଙ୍ଗନବାଡ଼ି ସେବା ଯୋଗାଇଦେବା ଦିଗରେ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଉପରେ ଗ୍ରାମବାସୀଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *