• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍

Byodishri Live

Nov 6, 2026

ସ୍ଥାୟୀ ପ୍ରତିକାର ଓ ପୁନର୍ନିର୍ମାଣ ପାଇଁ କେନ୍ଦ୍ରୀୟ ସହାୟତା ଲୋଡ଼ିଲେ ମୁଖ୍ୟମନ୍ତ୍ରୀ; ରିପୋର୍ଟ ପାଇଁ ଲାଗିବ ୭ରୁ ୮ ଦିନ

ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍‌ ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ବାତ୍ୟା ଓ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ, ରିଲିଫ୍‌ ଓ ପୁନଃସ୍ଥାପନ କାର୍ଯ୍ୟ ସହ ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ନେଇ ଆଲୋଚନା ହୋଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ପ୍ରତିବର୍ଷ ବନ୍ୟା, ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହାର ପ୍ରଭାବରେ ଜନଜୀବନ ବ୍ୟାହତ ହେବା ସହ ରାଜ୍ୟର ବିକାଶମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ନିର୍ମାଣ ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ କେବଳ ତତ୍କାଳ ରିଲିଫ୍‌ ଓ ପୁନର୍ନିର୍ମାଣ ପାଇଁ ଆର୍ଥିକ ସହାୟତା ନୁହେଁ, ବରଂ ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ଦିଗରେ ମଧ୍ୟ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତ ରଖିଥିଲେ। ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ହେଲେ ଭବିଷ୍ୟତରେ କ୍ଷୟକ୍ଷତିକୁ ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ, କେନ୍ଦ୍ରୀୟ ଟିମ୍‌ର ମୁଖ୍ୟ ରବିଶଙ୍କର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଇଥିଲେ। ବିଶେଷକରି ଋଷିକୁଲ୍ୟା ନଦୀର ବନ୍ୟାଜଳ ମାଡ଼ିଯିବା ଫଳରେ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳରେ ବାଲି ଓ ପଟୁମାଟି ଜମା ହୋଇଛି। ଏହାଦ୍ୱାରା ଚାଷଜମି, ରାସ୍ତାଘାଟ, ଘରଦ୍ୱାର ଓ ସରକାରୀ କାର୍ଯ୍ୟାଳୟ ପ୍ରଭାବିତ ହୋଇଛି। ଅନେକ ଘର ଭାଙ୍ଗି ନଥିଲେ ମଧ୍ୟ ଦୁର୍ବଳ ହୋଇପଡ଼ିଥିବା ସେ ସୂଚନା ଦେଇଥିଲେ।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଋଷିକୁଲ୍ୟା ନଦୀରୁ ବାଲି ଓ ପଟୁମାଟି ହଟାଇବା ଅର୍ଥାତ୍‌ ଡିସିଲ୍ଟିଂ କାର୍ଯ୍ୟର ଆବଶ୍ୟକତା ରହିଥିବା ଟିମ୍‌ ମୁଖ୍ୟ ମତ ରଖିଥିଲେ।

ବ୍ୟାପକ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ୭ରୁ ୮ ଦିନ ସମୟ ଲାଗିବ ବୋଲି କେନ୍ଦ୍ରୀୟ ଟିମ୍‌ ସୂଚନା ଦେଇଛି। ବାତ୍ୟା ଓ ବନ୍ୟା ପରେ ରାଜ୍ୟ ସରକାର ତ୍ୱରିତ୍‌ ଗତିରେ ରିଲିଫ୍‌ ଓ ପୁନଃସ୍ଥାପନ କାର୍ଯ୍ୟ କରିଥିବାରୁ ଟିମ୍‌ ପକ୍ଷରୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା। ଅଧିକାଂଶ ରାସ୍ତାଘାଟ ଯାତାୟାତ ଉପଯୋଗୀ ହୋଇଥିବା ସହ ବିଦ୍ୟୁତ୍‌ ସରବରାହ ମଧ୍ୟ ପୁନଃସ୍ଥାପିତ ହୋଇଥିବା କୁହାଯାଇଛି।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ରାଜେଶ ପ୍ରଭାକର ପାଟିଲ୍‌ଙ୍କ ସମେତ କେନ୍ଦ୍ରୀୟ ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *