• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଆର୍‌ଡି ରାସ୍ତା ନିର୍ମାଣରେ ଗଛ କଟା ଅଭିଯୋଗ: ବିକାଶ ନା ବିନାଶ?

Byodishri Live

Nov 6, 2026

ବନ ବିଭାଗ ଲଗାଇଥିବା ଗଛ କାଟିବାକୁ ନେଇ ପ୍ରଶ୍ନ; ତଦନ୍ତ, ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପୁନଃ ଚାରାରୋପଣ ଦାବି

ନବରଙ୍ଗପୁର, (ଓଡ଼ିଶ୍ରୀ ସମ୍ବାଦ): ଗୋଟିଏ ପଟେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ସରକାରୀ ଅର୍ଥରେ ବୃକ୍ଷରୋପଣ କରାଯାଉଛି। ଅନ୍ୟପଟେ ରାସ୍ତା ନିର୍ମାଣ ନାଁରେ ଗଛ କଟାଯାଉଥିବା ଅଭିଯୋଗ ଏବେ ପରିବେଶ ସୁରକ୍ଷା ଓ ସରକାରୀ ଅର୍ଥର ବିନିଯୋଗକୁ ନେଇ ପ୍ରଶ୍ନ ଉଠାଇଛି। ଏଭଳି ଏକ ଅଭିଯୋଗ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ର ଇନ୍ଦିରାବାସ ଛକଠାରୁ ନନ୍ଦାହାଣ୍ଡି ଗାଁକୁ ଯାଇଥିବା ଆର୍‌ଡି ରାସ୍ତାକୁ ନେଇ ସାମ୍ନାକୁ ଆସିଛି।

ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ପ୍ରାୟ ଚାରି ବର୍ଷ ପୂର୍ବେ ବନ ବିଭାଗ ପକ୍ଷରୁ ଏହି ରାସ୍ତା ପାର୍ଶ୍ୱରେ ଗଛ ଲଗାଯାଇଥିଲା। ଚାରାରୋପଣ ସହ ଖତ, ସାର ଓ ରକ୍ଷଣାବେକ୍ଷଣ ବାବଦରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିବା କୁହାଯାଉଛି। କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ସେହି ଗଛଗୁଡ଼ିକୁ ଆର୍‌ଡି ବିଭାଗ ପକ୍ଷରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ପୂର୍ବରୁ ସବୁଜିମାରେ ଭରପୂର ଥିବା ରାସ୍ତା ପାର୍ଶ୍ୱ ଏବେ ଗଛଶୂନ୍ୟ ହୋଇପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଏହି ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ନିଆଯାଇଥିଲା କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେଉଁ ଆଧାରରେ ଗଛଗୁଡ଼ିକ କଟାଗଲା ଏବଂ ଏଥିପାଇଁ କେଉଁ ଅଧିକାରୀ ଅନୁମତି ଦେଇଥିଲେ, ସେନେଇ ସ୍ପଷ୍ଟତା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।

ସରକାରଙ୍କ ‘ଏକ ପେଡ଼ ମା’ କେ ନାମ’ ଅଭିଯାନ ମାଧ୍ୟମରେ ବୃକ୍ଷରୋପଣକୁ ପ୍ରୋତ୍ସାହନ ଦିଆଯାଉଥିବାବେଳେ ଅନ୍ୟପଟେ ରାସ୍ତା ନିର୍ମାଣ ପାଇଁ ଗଛ କଟାଯିବା ଘଟଣାରେ ନିୟମ ପାଳନ ହୋଇଛି କି ନାହିଁ, ତାହା ତଦନ୍ତର ବିଷୟ ହୋଇଛି।

ଘଟଣାର ନିରପେକ୍ଷ ତଦନ୍ତ କରି ଗଛ କାଟିବା ପଛରେ ଥିବା ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ, ଏବଂ କ୍ଷତିପୂରଣ ସ୍ୱରୂପ ପୁନଃ ଚାରାରୋପଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଅଭିଯୋଗ ଉପରେ ବନ ବିଭାଗ ଓ ଆର୍‌ଡି ବିଭାଗ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *