ନର୍ସିଂ କଲେଜ ଓ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଶୁଭାରମ୍ଭ; ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଉପକରଣ ସ୍ଥାନାନ୍ତର ଅଭିଯୋଗର ତଦନ୍ତ ଦାବି
କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ଧରଣୀଧର ମେଡିକାଲ କଲେଜ ପରିସରରେ ଶିଶୁ ଓ ମାତୃ ମଙ୍ଗଳ ବିଭାଗ ଉଦ୍ଘାଟିତ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଭାଗର ଶୁଭ ଉଦ୍ଘାଟନ କରିବା ସହ ମେଡିକାଲ କଲେଜ ପରିସରରେ ନର୍ସିଂ କଲେଜ ଓ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଶୁଭାରମ୍ଭ କରିଛନ୍ତି।
ଏହି ପଦକ୍ଷେପ ଦ୍ୱାରା ଜିଲ୍ଲାବାସୀଙ୍କୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସହ ଅନ୍ୟାନ୍ୟ ଉନ୍ନତ ଚିକିତ୍ସା ସୁବିଧା ମିଳିବା ଆଶା କରାଯାଉଛି। ଏଥିସହ ନର୍ସିଂ ଶିକ୍ଷା ଓ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।
ମେଡିକାଲ କଲେଜର ଏହି ବିକାଶକୁ ସ୍ୱାଗତ କରିବା ସହ ଏହାର ପ୍ରତିଷ୍ଠା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନକୁ ମଧ୍ୟ ଜିଲ୍ଲାବାସୀ ସ୍ମରଣ କରିଛନ୍ତି। ଡିଏମ୍ଏଫ୍ ପାଣ୍ଠିରୁ ଅର୍ଥ ବ୍ୟୟରେ ମେଡିକାଲ କଲେଜ ନିର୍ମାଣ ହୋଇଥିବାରୁ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଯାଇଛି।
ତେବେ ମେଡିକାଲ କଲେଜର ବିକାଶ ସହିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚାଲିଆସୁଥିବା ସ୍ୱାସ୍ଥ୍ୟସେବା ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ପ୍ରଶାସନ ଯତ୍ନବାନ ହେବାକୁ ଦାବି ହୋଇଛି। ବିଶେଷକରି ଅଲଟ୍ରାସାଉଣ୍ଡ, ଏକ୍ସ-ରେ ଓ ସିଟି ସ୍କାନ୍ ଭଳି ଜରୁରୀ ପରୀକ୍ଷା ସେବା ନିରନ୍ତର ଭାବେ ଉପଲବ୍ଧ ରହିବା ଆବଶ୍ୟକ। ଏହି ସେବା ବାଧାପ୍ରାପ୍ତ ହେଲେ ଦୂରଦୂରାନ୍ତରୁ ଆସୁଥିବା ଗରିବ ଓ ସାଧାରଣ ରୋଗୀମାନେ ଅସୁବିଧାରେ ପଡ଼ିବା ଆଶଙ୍କା ରହିଛି।
ଏହାସହ ଗତକାଲି ଓ ଆଜି ସକାଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ କିଛି ଉପକରଣ ଓ ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ନେଇ ଅଭିଯୋଗ ଉଠିଛି। କେଉଁ ନିର୍ଦ୍ଦେଶ ଆଧାରରେ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ସାମଗ୍ରୀ ନିଆଯାଉଛି, ତାହାର ସତ୍ୟାସତ୍ୟ ଯାଞ୍ଚ କରିବା ସହ ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି।
ମେଡିକାଲ କଲେଜର ବିକାଶ ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୂର୍ବରୁ ଉପଲବ୍ଧ ସମସ୍ତ ଚିକିତ୍ସା ସେବା ଓ ସୁବିଧା ଅକ୍ଷୁଣ୍ଣ ରଖିବା ଉପରେ ଜନସାଧାରଣ ଗୁରୁତ୍ୱ ଦେଇଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
