ବେଣ୍ଟକାର ନୋଡାଲ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଉତ୍ସବ; ଆଭାସୀ ମାଧ୍ୟମରେ ଛାତ୍ରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
କଟକ (ଓଡ଼ିଶ୍ରୀ ସମ୍ବାଦ): କଟକ ଜିଲ୍ଲାରେ ୪୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ବେଣ୍ଟକାର ନୋଡାଲ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାର ମାନ ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ରାଜ୍ୟ ସରକାରଙ୍କ ଏହି ଶିକ୍ଷାଭିତ୍ତିକ ପଦକ୍ଷେପକୁ ସ୍ୱାଗତ କରିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ବିକଶିତ ଓଡ଼ିଶା ଗଠନରେ ଯୋଗଦାନ ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ମତ ଦେଇଥିଲେ।
ଏହି ଅବସରରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବେଣ୍ଟକାର ନୋଡାଲ ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ସ୍ମୃତି ରଞ୍ଜନ ସାହୁଙ୍କ ସହ କଥା ହୋଇ ତାଙ୍କ ଜୀବନର ଲକ୍ଷ୍ୟ, ବିଦ୍ୟାଳୟରେ ଉପଲବ୍ଧ ସୁବିଧା ଓ ରହିଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ସମେତ ବହୁ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ।
ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ସୁବିଧା ଯୋଗାଇଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।
