• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Byodishri Live

Nov 7, 2026

ଗୁଞ୍ଜିବାଡ଼ିରେ ଉତ୍ତେଜନା; ଗାଡ଼ି ଜବତ, ଚାଳକ ଅଟକ, ପ୍ରଶାସନର ଆଲୋଚନା ଜାରି

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଗୁଞ୍ଜିବାଡ଼ି ମୁଖ୍ୟ ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ଅବରୋଧ କରିଥିଲେ। ମୃତ ବୃଦ୍ଧା ହେଲେ ଗୁଞ୍ଜିବାଡ଼ି ଖଲି ଗୋଦାମ ସାହିର ନମ ପ୍ରଧାନଙ୍କ ପତ୍ନୀ ଟୁପା ପ୍ରଧାନ (୫୫)।

ସୂଚନା ଅନୁଯାୟୀ, ଟୁପା ପ୍ରଧାନ ପ୍ରତିଦିନ ଭଳି ଗାଈ ଓ ଛେଳି ଚରାଇବାକୁ ଯାଇଥିଲେ। ସେ ଗୁଞ୍ଜିବାଡ଼ି ମୁଖ୍ୟ ରାସ୍ତା ପାର୍ଶ୍ୱରେ ବସିଥିବା ସମୟରେ ରାଇକିଆ ପଟୁ କ.ନୂଆଗାଁ ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେଠାରେ ପହଞ୍ଚିଥିଲା। ଏହି ସମୟରେ ଗାଡ଼ି ସମ୍ମୁଖକୁ ହଠାତ୍‌ ଏକ ଛେଳି ଦୌଡ଼ି ଆସିବାରୁ ତାକୁ ବଞ୍ଚାଇବାକୁ ଯାଇ ଚାଳକ ଭାରସାମ୍ୟ ହରାଇଥିବା କୁହାଯାଉଛି। ଫଳରେ ରାସ୍ତାକଡ଼ରେ ବସିଥିବା ଟୁପାଙ୍କ ଉପରେ ଗାଡ଼ିଟି ମାଡ଼ିଯାଇଥିଲା। ଏଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ମୁଖ୍ୟ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ।

ଖବର ପାଇ ସାରଙ୍ଗଗଡ଼ ଥାନା ଅଧିକାରୀ ସ୍ମିତା ଜେନାଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଥିଲା।

ଅନ୍ୟପକ୍ଷରେ ରାସ୍ତାରୋକ ହଟାଇବା ଓ ଉତ୍ତେଜନା ପ୍ରଶମିତ କରିବା ପାଇଁ କ.ନୂଆଗାଁ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ ଏବଂ ତହସିଲଦାର ସମୀର ପାଇକରାୟ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ରାସ୍ତା ଅବରୋଧ ହଟିନଥିବାରୁ ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।

Spread the love

Leave a Reply

Your email address will not be published. Required fields are marked *