ଶଙ୍ଖାଭଙ୍ଗା ସମେତ ୪ଟି ପଞ୍ଚାୟତରେ ନିର୍ମାଣ ହେବ ବିଦ୍ୟାଳୟ; ଆଭାସୀ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିର ବିକାଶ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଜିଲ୍ଲାସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବାରିପଦା ବ୍ଲକ୍ ଅନ୍ତର୍ଗତ ଶଙ୍ଖାଭଙ୍ଗା ଗ୍ରାମ ପଞ୍ଚାୟତର ଶଙ୍ଖାଭଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ।
ଜିଲ୍ଲାପାଳ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ଏବଂ ସ୍ଥାନୀୟ ସରପଞ୍ଚ ସାଲଗେ ହେମ୍ବ୍ରମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ଅବସରରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧାରମାନନ୍ଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବାରିପଦା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ ପାତ୍ର, ବିନୋଦ ସିଂ ଓ ଶଶୀଧର ସିଂ ଏବଂ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁଜା ମାଧୁରୀ ଦାସ ଓ ଶାମାଖୁଣ୍ଟା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୀପ୍ତିମୟୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାର ଯୋଜନା ରହିଛି। ଏହି କ୍ରମରେ ଶୁକ୍ରବାର ଶଙ୍ଖାଭଙ୍ଗା ସମେତ ବୁଢ଼ୀଖମାରୀ, ଚନ୍ଦନପୁର ଓ ବାଙ୍କିଶୋଳ ପଞ୍ଚାୟତରେ ମଧ୍ୟ ବିଦ୍ୟାଳୟଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସତ୍ୟନାରାୟଣ ଦାସ, ସୁବାଷ ଚନ୍ଦ୍ର ଜିତବାବୁ, ସିଦ୍ଧେଶ୍ୱର ମିଶ୍ର, ଧନପତି ମିଶ୍ର, ଶୁଭେନ୍ଦୁ ବେହେରା ଓ ଗୌତମ ପ୍ରସାଦ ଦାସ ପ୍ରମୁଖ ସହଯୋଗ କରିଥିଲେ।
