ଦୁଇଟି ନଳକୂପ ଶୁଖିଲା, ପାଣି ପାଇଁ ଯାଉଛନ୍ତି ୧ କିମି; ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଜଳ ଯୋଗାଣ କାର୍ଯ୍ୟାଳୟରେ ଫେରାଦ
ଡେରାବିଶ, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ଏଣ୍ଡର ଗ୍ରାମ ପଞ୍ଚାୟତର ପଚିଶିମାଣିଆ ପାଟଣା ଗ୍ରାମରେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସଙ୍କଟ। ଦୁଇଟି ନଳକୂପ ଶୁଖିଯିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସମାଧାନ ଦାବିରେ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳା ଜିଲ୍ଲା ପାନୀୟ ଜଳ କାର୍ଯ୍ୟାଳୟରେ ଫେରାଦ ହୋଇଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଦୁଇଟି ନଳକୂପ ଶୁଖିଯିବାରୁ ଲୋକମାନେ ପାଣି ପାଇଁ ପ୍ରାୟ ୧ କିଲୋମିଟର ଦୂରକୁ ଯାଉଛନ୍ତି। ଅନ୍ୟ ଗ୍ରାମର ଜଳ ଉତ୍ସ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି।
ସମସ୍ୟାର ସମାଧାନ ପାଇଁ ପୂର୍ବରୁ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶେଷରେ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳା ଗାଡ଼ି ଯୋଗେ ପ୍ରାୟ ୧୫ କିଲୋମିଟର ଦୂର ଇଚ୍ଛାପୁରସ୍ଥିତ କେନ୍ଦ୍ରାପଡ଼ା ଜିଲ୍ଲା ପାନୀୟ ଜଳ ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ଗୁଗୁନଙ୍କୁ ଭେଟିଥିଲେ। ସମସ୍ୟାର ସମାଧାନ ପାଇଁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ସେଠାକୁ ଯାଇଥିବା ସସ୍ମିତା ମହାରଣାଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ନିର୍ବାହୀ ଯନ୍ତ୍ରୀ କିଛି ମାସ ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ତେବେ ଗ୍ରାମରେ ତୁରନ୍ତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବା ସହ ଏକ ସ୍ଥାୟୀ ପ୍ରକଳ୍ପ ମାଧ୍ୟମରେ ଜଳ ସଙ୍କଟର ସମାଧାନ କରିବାକୁ ଗ୍ରାମର ମହିଳାମାନେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।
