• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବୌଦ୍ଧରେ ବୁଲା ଗାଈଗୋରୁ, ଚାଷୀ ହନ୍ତସନ୍ତ

Byodishri Live

Sep 21, 2026

ବୌଦ୍ଧ: ବୌଦ୍ଧ ସହରରେ ବୁଲା ଗାଈଗୋରୁଙ୍କ ଉପଦ୍ରବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଚାଷ ଜମିରେ ଗାଈଗୋରୁ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ସମସ୍ୟାର ସ୍ଥାୟୀ ସମାଧାନ ଓ ବୁଲା ଗାଈଗୋରୁଙ୍କ ଥଇଥାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଚାଷୀମାନେ।

ବୌଦ୍ଧ ପୌର ପରିଷଦର ୧୩ ଓ ୧୪ ନମ୍ବର ୱାର୍ଡ ଅଧୀନ ମର୍ଯ୍ୟାକୁଦର ଅଞ୍ଚଳରେ ଏହି ସମସ୍ୟାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ସହରରେ ବୁଲାବୁଲି କରୁଥିବା ଗାଈଗୋରୁ ଅବାଧରେ ଚାଷ ଜମିକୁ ପଶି ଫସଲ ନଷ୍ଟ କରୁଛନ୍ତି। ଏହା ଫଳରେ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି।

ସମସ୍ୟାର ସମାଧାନ ପାଇଁ ମର୍ଯ୍ୟାକୁଦର ଅଞ୍ଚଳର ଚାଷୀମାନଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବୈଠକରେ ବରିଷ୍ଠ ସାମାଜିକକର୍ମୀ କେଦାରନାଥ ସାହୁ ଓ କୃତ୍ତିବାସ ପଲିଆ ଯୋଗଦେଇ ଚାଷୀମାନଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ପରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବାକୁ ଚାଷୀମାନେ ନିଷ୍ପତ୍ତି ନେଇଥିଲେ। ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା କାର୍ଯ୍ୟାଳୟର ସୁପରିଟେଣ୍ଡେଣ୍ଟଙ୍କୁ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା। ପୂର୍ବତନ କାଉନସିଲର ତରଣୀସେନ ମାଝିଙ୍କ ନେତୃତ୍ୱରେ ଚାଷୀମାନେ ଏହି ଅଭିଯୋଗପତ୍ର ଦେଇଥିଲେ।

ଚାଷୀମାନଙ୍କ ଦାବି, ବୁଲା ଗାଈଗୋରୁଙ୍କ ଉପଦ୍ରବରୁ ଚାଷ ଓ ଫସଲକୁ ସୁରକ୍ଷା ଦେବା ସହ ସେମାନଙ୍କ ଥଇଥାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ। ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ବୁଲା ଗାଈଗୋରୁଙ୍କୁ ପୌର ପରିଷଦ କାର୍ଯ୍ୟାଳୟ ପରିସରକୁ ନେଇଯିବାକୁ ଚେତାବନୀ ଦେଇଛନ୍ତି ଚାଷୀମାନେ।

ଏବେ ଚାଷୀଙ୍କ ଫସଲକୁ ବୁଲା ଗାଈଗୋରୁଙ୍କ ଉପଦ୍ରବରୁ ସୁରକ୍ଷା ଦେବା ଏବଂ ସେମାନଙ୍କ ଥଇଥାନ ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *