କେନ୍ଦୁଝର: ଆଧୁନିକ ଚିକିତ୍ସା ମଧ୍ୟରେ ଅନ୍ଧବିଶ୍ୱାସର ଏକ ଚିତ୍ର ପୁଣି ସାମ୍ନାକୁ ଆସିଛି। ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ଯୁବକଙ୍କ ମୃତ୍ୟୁକୁ ବିଶ୍ୱାସ ନକରି ମେଡିକାଲ ପରିସରରେ ମୃତଦେହକୁ ଗୁଣିଆଙ୍କ ଦ୍ୱାରା ଝଡ଼ାଫୁଙ୍କା କରାଯାଇଥିବା ଘଟଣା ଆଲୋଚନାର ବିଷୟ ପାଲଟିଛି।
ଘଟଣାଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ଘଷିପୁରା ଥାନା ଭଣ୍ଡାରିଡିହା ଗାଁର ସୁଶୀଲ କୁମାର ଭିତିରିଆଙ୍କୁ ରବିବାର ଏକ ବିଷଧର ସାପ କାମୁଡ଼ିଥିଲା। ପରିବାର ଲୋକ ଓ ସାହିପଡ଼ିଶା ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲକୁ ନେଇଥିଲେ।
ତେବେ ଚିକିତ୍ସାଧୀନ ଅବସ୍ଥାରେ ସୁଶୀଲଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ମଧ୍ୟ ପରିବାର ଓ ସମ୍ପର୍କୀୟମାନେ ମୃତ୍ୟୁକୁ ବିଶ୍ୱାସ କରିନଥିଲେ। ପରେ ଜଣେ ଗୁଣିଆଙ୍କୁ ଡକାଇ ମେଡିକାଲ ପରିସରରେ ହିଁ ମୃତଦେହକୁ ଝଡ଼ାଫୁଙ୍କା କରାଯାଇଥିବା ଜଣାପଡ଼ିଛି।
ସାପ ବିଷ ଓହ୍ଲାଇବା ଆଶାରେ କିଛି ସମୟ ଧରି ଝଡ଼ାଫୁଙ୍କା ଚାଲିଥିଲା। ଶେଷରେ ଗୁଣିଆ ମଧ୍ୟ ଯୁବକଙ୍କ ମୃତ୍ୟୁ ହୋଇସାରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।
ମେଡିକାଲ ପରିସରରେ ଏଭଳି ଘଟଣା ଚିକିତ୍ସା ପ୍ରତି ଲୋକଙ୍କ ବିଶ୍ୱାସ ଓ ସାପ କାମୁଡ଼ିବା ଭଳି ଜରୁରୀ ପରିସ୍ଥିତିରେ ସଚେତନତା ନେଇ ପ୍ରଶ୍ନ ଉଠାଇଛି। ସାପ କାମୁଡ଼ିଲେ ଝଡ଼ାଫୁଙ୍କା ପରିବର୍ତ୍ତେ ତୁରନ୍ତ ଚିକିତ୍ସା ନେବା ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ।
