ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଗାନ୍ଧୀଗ୍ରାମ ପଡ଼ାରେ ଧୁମଧାମରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଭେଟଘାଟ। ଏହି ଅବସରରେ ପଡ଼ାବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖିବାକୁ ମିଳିଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ମା’ ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ପଡ଼ାବାସୀ ପରସ୍ପରଙ୍କୁ ଜୁହାରଭେଟ୍ କରି ନୂଆଖାଇର ଶୁଭେଚ୍ଛା ଆଦାନପ୍ରଦାନ କରିଥିଲେ। ଏଥିସହ ବିଭିନ୍ନ ଖେଳ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ ଭାଗ ନେଇଥିଲେ।
ଭେଟଘାଟ କାର୍ଯ୍ୟକ୍ରମରେ ୯୦ ବର୍ଷୀୟ ବିପିନ ଦୁର୍ଗା ଓ ୮୦ ବର୍ଷୀୟା ନୂଆଦେଇ ନାଏକଙ୍କୁ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଦେବା ସହ ପରମ୍ପରାକୁ ଆଗକୁ ନେବାର ଏହି ପ୍ରୟାସକୁ ଉପସ୍ଥିତ ଲୋକେ ପ୍ରଶଂସା କରିଥିଲେ।
ଗାନ୍ଧୀଗ୍ରାମ ପଡ଼ା ନୂଆଖାଇ କମିଟି ପକ୍ଷରୁ ଆୟୋଜିତ ଏହି ଭେଟଘାଟ କାର୍ଯ୍ୟକ୍ରମ ଭାଇଚାରା, ପରମ୍ପରା ଓ ସାମାଜିକ ଏକତାର ବାର୍ତ୍ତା ଦେଇଥିଲା।
