ଜି.ଉଦୟଗିରି (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ‘ସେବା ସେତୁ ଶିବିର-୨୦୨୬’ ଅନୁଷ୍ଠିତ ହୋଇଛି। ରାଇକିଆ ଓ ଜି.ଉଦୟଗିରି ବ୍ଲକକୁ ନେଇ ଆୟୋଜିତ ଏହି ମିଳିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ।
କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଶିବିରରେ ଯୋଗଦେଇ ସାଧାରଣ ଲୋକଙ୍କ ୧୩୮ଟି ଅଭିଯୋଗ ଶୁଣାଣୀ କରିଥିଲେ। ଏଥିରେ ସର୍ବାଧିକ ୫୦ଟି ଅଭିଯୋଗ ଜମିଜମା ସମ୍ପର୍କିତ ଥିଲା। ଏହା ବ୍ୟତୀତ ‘ମୋ ସର୍ଭିସ୍’ ସମ୍ପର୍କିତ ୧୦, ବିଭିନ୍ନ କାର୍ଯ୍ୟ ସମ୍ପର୍କିତ ୨୩, ଭତ୍ତା ୯, ରୁରାଲ୍ ହାଉସିଂ ୧୩, ସାର୍ଟିଫିକେଟ୍ ୧, ଶିକ୍ଷା ୧, ରାସନ୍ କାର୍ଡ ୬, ବିଭିନ୍ନ ଯୋଜନା ୨, ବିଦ୍ୟୁତ୍ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯାଇଥିଲା।
ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗର ଶୁଣାଣୀ କରି ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଆଇଏଏସ୍ ପ୍ରୋବେସନର ଯଶକରଣ ସିଂ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରମେଶ ପ୍ରସାଦ, ପିଡି ଶମ୍ଭୁନାଥ ନନ୍ଦୀ, ରାଇକିଆ ବିଡିଓ ସବ୍ୟସାଚୀ ସାହୁ, ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
‘ସେବା ସେତୁ’ ଶିବିରରେ ବିଭିନ୍ନ ବିଭାଗର ୧୪ଟି ଷ୍ଟଲ୍ ଖୋଲାଯାଇଥିଲା। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଷ୍ଟଲ୍ଗୁଡ଼ିକ ପରିଦର୍ଶନ କରିବା ସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣରାଶିର ଚେକ୍ ପ୍ରଦାନ କରିଥିଲେ। ଏହାସହ ଦିବ୍ୟାଙ୍ଗମାନଙ୍କୁ ଆବଶ୍ୟକ ସାମଗ୍ରୀ, କେତେକ ହିତାଧିକାରୀଙ୍କୁ ଭତ୍ତା ଓ ରାସନ୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା।
ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଶିଶୁ ଓ ମାତୃମାନଙ୍କୁ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଅବଗତ ହୋଇଥିଲେ। ଗ୍ରାମାଞ୍ଚଳରେ ଏହି ସେବା ଠିକ୍ ଭାବେ ପହଞ୍ଚାଇବାକୁ ସେ ଗୁରୁତ୍ୱ ଦେଇଥିଲେ।
ଏହି ଯୁଗ୍ମ କାର୍ଯ୍ୟକ୍ରମରେ ୫୮୪ ଜଣ ଲୋକ ପଞ୍ଜୀକରଣ କରିଥିଲେ। ବ୍ଲକ ଜିପିଡିଓ ଅନିଲ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏଇଇ ରୁଦ୍ର ପ୍ରସାଦ ମାଝୀ ସହଯୋଗ କରିଥିଲେ। ଜି.ଉଦୟଗିରି ପୋଲିସ ପକ୍ଷରୁ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
