ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ବିଭିନ୍ନ ଦାବି ନେଇ ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ଚାଲିଥିବା ଧାରଣା ଆଜି ୨୦ ଦିନରେ ପହଞ୍ଚିଛି। ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଆଜି କନ୍ଧମାଳ ଓ ଗଜପତି ଜିଲ୍ଲାର ବହୁ ଯୋଗାଣ ସହାୟକ ଭୁବନେଶ୍ୱରରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିବା ସଂଘ ପକ୍ଷରୁ କୁହାଯାଇଛି।
ସଂଘର ଓଡ଼ିଶା ଜିଲ୍ଲା ସଭାପତି ସଂଜୀବ କୁମାର ଦାସ, ସହସାଧାରଣ ସମ୍ପାଦକ ଅରୁଣ କୁମାର ବାରିକ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ପାତ୍ରଙ୍କ ସମେତ କନ୍ଧମାଳ ଜିଲ୍ଲା ସଭାପତି ବିବେକାନନ୍ଦ ବେହେରା, ଗଜପତିର ଜିସାୟ ସିଂ, ଏକାଦଶୀ ଜେନାଙ୍କ ସମେତ ଅନେକ ଯୋଗାଣ ସହାୟକ ଏଥିରେ ସାମିଲ ହୋଇଥିଲେ।
ଯୋଗାଣ ସହାୟକମାନେ ଦୀର୍ଘ ୧୪ ବର୍ଷ ଧରି ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଦାବି କରି ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ମିଳୁଥିବା ପାରିଶ୍ରମିକରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ବିଶେଷକରି କୋଭିଡ୍-୧୯ ସମୟରେ ଘରେ ଘରେ ପହଞ୍ଚି ଲୋକଙ୍କୁ ଯୋଗାଣ ସେବା ଯୋଗାଇଥିବା ସେମାନେ ଦାବି କରିଛନ୍ତି।
ଧାରଣାରେ ସାମିଲ ଯୋଗାଣ ସହାୟକମାନେ କହିଛନ୍ତି, ଦୀର୍ଘଦିନ ଧରି ସେମାନେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନଙ୍କ ସ୍ଥାୟୀ ନିଯୁକ୍ତି ସମେତ ଅନ୍ୟାନ୍ୟ ଦାବି ଉପରେ ସରକାର ତୁରନ୍ତ ବିଚାର କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବା ନେଇ ସଂଘ ପକ୍ଷରୁ କୁହାଯାଇଥିବା ବେଳେ ଆନ୍ଦୋଳନରତ କର୍ମଚାରୀମାନେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି।
