ଧୁଷୁରୀ (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଚକୋଲେଟ୍ର ଲୋଭ ଦେଖାଇ ଯୌନ ନିର୍ଯାତନା ଓ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ପରିବାରର ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୨୫ ତାରିଖ ସକାଳେ ନାବାଳିକା ଚକୋଲେଟ୍ କିଣିବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଚକୋଲେଟ୍ର ଲୋଭ ଦେଖାଇ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ତାଙ୍କ ସହ ଅପରାଧ ଘଟାଇଥିବା ଏବଂ ଘଟଣା ପ୍ରକାଶ କଲେ ହତ୍ୟା ଧମକ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।
ଘଟଣା ପରେ ନାବାଳିକା ଘରକୁ ଫେରି ମାଆଙ୍କୁ ସୂଚନା ଦେଇଥିଲେ। ପରେ ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ସେପଟେ, ସେପ୍ଟେମ୍ବର ୨୭ ତାରିଖରେ ନାବାଳିକାଙ୍କ ବାପା ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
ଅନ୍ୟପକ୍ଷରେ, ଧୁଷୁରୀ ଥାନାର ଜଣେ ଏଏସ୍ଆଇଙ୍କ ଆଚରଣକୁ ନେଇ ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ଆସିଛି। ଅଭିଯୋଗ ଶୁଣିବା ବଦଳରେ ଗାଳିଗୁଲଜ, ଧମକ ଏବଂ ଅଭିଯୋଗକାରୀଙ୍କୁ ହଇରାଣ କରାଯାଇଥିବା ଭଳି ଅଭିଯୋଗ କରାଯାଇଛି। ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ତଦନ୍ତ ଦାବି ହୋଇଛି।
ଘଟଣାରେ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
