ଆରାଧନା ସଙ୍ଗୀତ, ସ୍ତୁତି ଓ ଭଜନରେ ମୁଖରିତ ପରିବେଶ; ଶାନ୍ତି ଓ ଭାଇଚାରାର ବାର୍ତ୍ତା ଦେଲେ ଆୟୋଜକ
ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ଆଗାମୀ ବଡ଼ଦିନ ପାଳନ ପୂର୍ବରୁ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପରେ ଦୁଇଦିନିଆ ପ୍ରି-ଖ୍ରୀଷ୍ଟମାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ସ୍ଥାନୀୟ ଖ୍ରୀଷ୍ଟିୟ ସମ୍ପ୍ରଦାୟର ବହୁ ଲୋକ ଯୋଗଦେଇ ଆନନ୍ଦ ଓ ଉତ୍ସାହର ସହ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
କାର୍ଯ୍ୟକ୍ରମରେ ଆରାଧନା ସଙ୍ଗୀତ, ସ୍ତୁତି ଓ ଭଜନ ପରିବେଷଣ କରାଯାଉଛି। ଏଥିରେ ଯୋଗଦେବା ପାଇଁ ମୁମ୍ବାଇରୁ ବିଶେଷ ଅତିଥିମାନେ ଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଭିଷେକ ରୋଜର ପ୍ରଚାର କରୁଥିବା ବେଳେ ଶେଲଡନ୍ ବାଙ୍ଗରାଙ୍କ ଏକ ବଡ଼ ଟିମ୍ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
ଆୟୋଜକଙ୍କ ପକ୍ଷରୁ ଜନସାଧାରଣଙ୍କୁ ଶାନ୍ତି, ସଦ୍ଭାବନା ଓ ଭାଇଚାରା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ଆଗାମୀ ବଡ଼ଦିନର ଆନନ୍ଦ ଓ ଶାନ୍ତିର ବାର୍ତ୍ତା ସମସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି।
ଆୟୋଜକଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଏଭଳି ପ୍ରି-ଖ୍ରୀଷ୍ଟମାସ କାର୍ଯ୍ୟକ୍ରମ ଗତ ୩୦ରୁ ୪୦ ବର୍ଷ ଧରି ନିୟମିତ ଭାବେ ଆୟୋଜିତ ହୋଇଆସୁଛି।
