• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୬ ପାଳିତ

Byodishri Live

Nov 6, 2026

ପୁଷ୍ଟିଶସ୍ୟର ଉପକାରିତା ଓ ଜୈବବିବିଧତା ଉପରେ ଗୁରୁତ୍ୱ; ୫ଟି ବ୍ଲକ୍‌ର ୧୦ ଜଣ ପ୍ରଗତିଶୀଳ ଚାଷୀ ସମ୍ବର୍ଦ୍ଧିତ

ନୂଆପଡ଼ା (ଓଡ଼ିଶ୍ରୀ ସମ୍ବାଦ): ଶ୍ରୀ ଅନ୍ନ ଅଭିଯାନ ଆନୁକୂଲ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନୂଆପଡ଼ା ଜିଲ୍ଲା ସିଲଦାସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୬ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ମାଣ୍ଡିଆର ବହୁମୁଖୀ ବ୍ୟବହାର ଓ ପୁଷ୍ଟିଗତ ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଏହାପରେ ଆୟୋଜିତ ସଭାରେ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ପ୍ରକଳ୍ପ ନିର୍ଦ୍ଦେଶକ (ଜଳବିଭାଜିକା) ସନ୍ତୋଷ କୁମାର ରଥ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗବନ୍ଧୁ ପଟେଲ ଯୋଗଦେଇଥିଲେ।

ଚଳିତ ବର୍ଷ ମାଣ୍ଡିଆ ଦିବସର ବିଷୟବସ୍ତୁ ଥିଲା ‘ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବବିବିଧତା’। ଏହି ବିଷୟ ଉପରେ ଆଲୋଚନା ସମୟରେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟର ପୋଷଣଗତ ଗୁଣ, ସ୍ୱାସ୍ଥ୍ୟ ଉପକାରିତା ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।

ମାଣ୍ଡିଆ ଚାଷର ପ୍ରସାର, ଦୈନନ୍ଦିନ ଖାଦ୍ୟରେ ଏହାର ବ୍ୟବହାର ବୃଦ୍ଧି ଏବଂ ଚାଷୀମାନଙ୍କୁ ଏହି ଚାଷ ପ୍ରତି ଅଧିକ ଉତ୍ସାହିତ କରିବା ଉପରେ ଅତିଥିମାନେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ଜିଲ୍ଲାର ପାଞ୍ଚଟି ବ୍ଲକ୍‌ରୁ ୧୦ ଜଣ ପ୍ରଗତିଶୀଳ ମାଣ୍ଡିଆ ଚାଷୀଙ୍କୁ ଚାଷ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, କୃଷି ବିଭାଗର କର୍ମଚାରୀ, ଚାଷୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *