ପୂର୍ବରୁ ମୋଟର, ଟ୍ୟୁବୱେଲ୍ ଓ ପଙ୍ଖା ଚୋରି ଅଭିଯୋଗ; ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ଭଦ୍ରକ, ସହିଦାବାଦ (ଓଡ଼ିଶ୍ରୀ ସମ୍ବାଦ): ବିଦ୍ୟାଳୟରେ ପୁଣି ଚୋରି ଘଟଣାକୁ ନେଇ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସହିଦାବାଦସ୍ଥିତ ଜୀବରାମ ବିଦ୍ୟାପୀଠ (ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)ରେ ଗତ ରାତିରେ ଦୁର୍ବୃତ୍ତମାନେ ମୁଖ୍ୟ ଫାଟକର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଷ୍ଟକ୍ ରୁମ୍ ଓ ଅଫିସ୍ ଗୃହର ତାଲା ଭାଙ୍ଗି ୬ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ସହ ପ୍ରାର୍ଥନା ସଭାରେ ବ୍ୟବହୃତ ଏକ ଜେବ୍ରୋନିକ୍ ସାଉଣ୍ଡ ବକ୍ସ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ପୂର୍ବରୁ ମଧ୍ୟ ଦୁଇଥର ଚୋରି ଘଟଣା ଘଟିଥିଲା। ସେହି ସମୟରେ ମୋଟର, ଟ୍ୟୁବୱେଲ୍ ଓ ପଙ୍ଖା ଆଦି ଚୋରି ହୋଇଥିବା ଅଭିଯୋଗ ରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଶିକ୍ଷକ ଓ କର୍ମଚାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ବିଦ୍ୟାଳୟ ପକ୍ଷରୁ ପୂର୍ବରୁ ମଧ୍ୟ ସମ୍ପୃକ୍ତ ଥାନାକୁ ଲିଖିତ ଭାବେ ଅବଗତ କରାଯାଇଥିବା କୁହାଯାଇଛି।
ଚୋରି ଘଟଣା ସମ୍ପର୍କରେ ଖବର ପାଇ ଥାନା ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ଘଟଣାସ୍ଥଳ ଯାଞ୍ଚ କରିଥିଲେ। ଏହାସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ସମେତ ଅନ୍ୟାନ୍ୟ ଦିଗରୁ ତଦନ୍ତ କରି ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ଓ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।
ବିଦ୍ୟାଳୟକୁ ଚୋରିମୁକ୍ତ କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆଶ୍ୱାସନା ଦେଇଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶେଖ୍ ଅଫିଜୁର ରହମାନ କହିଛନ୍ତି। ବିଦ୍ୟାଳୟର ସମ୍ପତ୍ତି ଓ ଛାତ୍ରଛାତ୍ରୀଙ୍କ ହିତ ସହ ଜଡ଼ିତ ସାମଗ୍ରୀର ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି।
