ମାଲକାନଗିରି (ଓଡ଼ିଶ୍ରୀ ସମ୍ବାଦ): ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ମାଲକାନଗିରିରେ ବିଶ୍ୱ ପର୍ଯ୍ୟଟନ ଦିବସ ଉତ୍ସାହର ସହ ପାଳିତ ହୋଇଛି। ଏହି ଅବସରରେ ଓଏମସି ପୁରୀ କୋଷ୍ଟାଲ ମାରାଥନର ପ୍ରଚାର ପାଇଁ ‘ଓଡ଼ିଶା ପ୍ରୋମୋ ରନ୍’ ଆୟୋଜିତ ହୋଇଥିଲା।
ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ଦୌଡ଼ ମଲ୍ଲିକେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ମାଲକାନଗିରି ଡିଏଫ୍ଓ ସାଇ କିରଣ ଡି.ଏନ୍. ଆନୁଷ୍ଠାନିକ ଭାବେ ଫ୍ଲାଗ୍ ଅଫ୍ କରି ପ୍ରୋମୋ ରନ୍ର ଶୁଭାରମ୍ଭ କରିଥିଲେ। ପର୍ଯ୍ୟଟନ ଓ କ୍ରୀଡ଼ାର ଏଭଳି ସମନ୍ୱୟ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବଢ଼ାଇବା ସହ ପ୍ରକୃତି ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପ୍ରତି ଆଗ୍ରହ ବଢ଼ାଇବ ବୋଲି ସେ କହିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଓ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସ୍ୱୟଂସିଦ୍ଧ ରାଉତ କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ।
ପ୍ରୋମୋ ରନ୍ରେ ସ୍ଥାନୀୟ ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମାରାଥନ୍ ଶେଷ ପରେ ମଲ୍ଲିକେଶ୍ୱର ପୀଠ ପ୍ରାଙ୍ଗଣରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଜ ବକ୍ତବ୍ୟରେ ପୁରୀ କୋଷ୍ଟାଲ ମାରାଥନକୁ ଓଡ଼ିଶାର ପର୍ଯ୍ୟଟନ ଓ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାର ଏକ ପ୍ରୟାସ ବୋଲି କହିଥିଲେ। ଆସନ୍ତା ଡିସେମ୍ବର ୧୩ରେ ପୁରୀଠାରେ ମୂଳ ଓଏମସି ପୁରୀ କୋଷ୍ଟାଲ ମାରାଥନ୍ ଆୟୋଜିତ ହେବାକୁ ଥିବାରୁ ମାଲକାନଗିରିର ଯୁବପିଢ଼ିଙ୍କୁ ଏଥିରେ ଅଂଶଗ୍ରହଣ ପାଇଁ ଆହ୍ୱାନ କରାଯାଇଥିଲା।
ପ୍ରୋମୋ ରନ୍ ଆୟୋଜନ ମାଧ୍ୟମରେ ମାଲକାନଗିରିର ପର୍ଯ୍ୟଟନସ୍ଥଳୀ, କ୍ରୀଡ଼ା ଓ ପ୍ରକୃତି ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ସହ ପର୍ଯ୍ୟଟନ ସଚେତନତା ସୃଷ୍ଟି କରିବାର ପ୍ରୟାସ କରାଯାଇଛି।
