ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ସହ ନୃତ୍ୟ, ଚିତ୍ରକଳା ଓ ହସ୍ତାକ୍ଷର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର
ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ମୟୂରଭଞ୍ଜ ଜିଲ୍ଲାର ପାଲବାଣୀସ୍ଥିତ ଶ୍ରୀ ଜଗନ୍ନାଥ କଳା ଏକାଡେମୀର ପ୍ରଥମ ବାର୍ଷିକୋତ୍ସବ ଗୁରୁବାର ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ଉତ୍ସାହ ଓ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ କରିଥିବା କଳାକାର ଓ ପ୍ରତିଯୋଗୀଙ୍କୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯାଇଥିଲା।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୧ ତାରିଖରେ ବାରିପଦାସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏକାଡେମୀର ଅଧ୍ୟକ୍ଷା ଶୁଭସ୍ମିତା ଭାରତୀ ହୋତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ଟ୍ରଷ୍ଟି ସୁବାସ ଚନ୍ଦ୍ର ରାଉତ, ରାକେଶ କୁମାର ବେହେରା ଓ ଏକାଡେମୀର କର୍ମଚାରୀମାନେ ସହଯୋଗ କରିଥିଲେ।
ଉତ୍ସବର ବିଭିନ୍ନ ପର୍ଯ୍ୟାୟରେ ଅତିଥି ଭାବେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୀବ ଦ୍ୱିବେଦୀ, ଶୁଭେନ୍ଦୁ ସାହୁ, ଡିଭାଇନ୍ ଇଞ୍ଜିନିୟରିଂ କଲେଜର ନିର୍ଦ୍ଦେଶକ ଇଂ. ବିପ୍ଳବ ଭଞ୍ଜନ ବୁଗୁଡେଇ, ୨୫ ନମ୍ବର ୱାର୍ଡର କାଉନସିଲର ଦେବାଶିଷ ପାତ୍ର, କଳାକାର ତାପସ ପାଢ଼ୀ, ଶିଳ୍ପୀ ଜିତେନ୍ଦ୍ର ହେମ୍ବ୍ରମ, ଆନ୍ତର୍ଜାତିକ ୟୁଟ୍ୟୁବର ଲବ ହାଁସଦା ଓ ବାଲୁକା ଶିଳ୍ପୀ ସୁଦର୍ଶନ ମହାନ୍ତ ପ୍ରମୁଖ ଯୋଗଦେଇ କଳାକାର ଓ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଜିଲ୍ଲାସ୍ତରୀୟ ଚିତ୍ରକଳା, ମଡର୍ଣ୍ଣ ଡ୍ୟାନ୍ସ ଓ ସେମି-କ୍ଲାସିକାଲ୍ ଡ୍ୟାନ୍ସ ସହ ଏକାଡେମୀ ପକ୍ଷରୁ ଆୟୋଜିତ ଚିତ୍ରକଳା, କ୍ରାଫ୍ଟ, ହସ୍ତାକ୍ଷର ଓ ନୃତ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ବାରିପଦାର ବିଭିନ୍ନ ଚିତ୍ରକଳା ପ୍ରତିଷ୍ଠାନ ଓ ସେମାନଙ୍କ ଅଧ୍ୟକ୍ଷ, ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା, କଳା ଅନୁଷ୍ଠାନ ଏବଂ ସ୍ଥାନୀୟ ୟୁଟ୍ୟୁବରମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ହରେନ୍ଦ୍ର ମହାନ୍ତ ଓ ଖୁସି କୁମାର ମଞ୍ଚ ପରିଚାଳନା କରିଥିଲେ। କଳା ଓ ସଂସ୍କୃତି କ୍ଷେତ୍ରରେ ନୂତନ ପ୍ରତିଭାଙ୍କୁ ମଞ୍ଚ ଯୋଗାଇଦେବା ସହ ସେମାନଙ୍କୁ ଉତ୍ସାହିତ କରିବାର ଏହି ପ୍ରୟାସକୁ ଉତ୍ସବରେ ଗୁରୁତ୍ୱ ଦିଆଯାଇଥିଲା।
