• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବନ୍ୟଜନ୍ତୁ ସୁରକ୍ଷା ଓ ରିପୋର୍ଟିଂ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସଚେତନତା

Byodishri Live

Sep 29, 2026

ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ବନ୍ୟଜନ୍ତୁ, ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କିତ ଖବର ପ୍ରସ୍ତୁତି ଓ ପ୍ରକାଶନ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ କିପରି ସଚେତନ ଓ ସତର୍କ ରହିବେ, ସେନେଇ ଭଦ୍ରକ ୱାଇଲ୍ଡଲାଇଫ୍ ଡିଭିଜନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ବନ୍ୟଜନ୍ତୁ ସମ୍ପର୍କିତ ଘଟଣାର ରିପୋର୍ଟିଂ ସମୟରେ ସାମ୍ବାଦିକଙ୍କ ନିଜସ୍ୱ ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦେବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଖବର ପ୍ରକାଶ ବେଳେ ସଠିକ୍ ତଥ୍ୟ, ଦାୟିତ୍ୱବୋଧ ଓ ସମ୍ବେଦନଶୀଳତା ରକ୍ଷା କରିବା ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା।

ଘଟଣାସ୍ଥଳରେ ଅଯଥା ଜୁଆଖିମ ନନେବା, ବନ୍ୟଜନ୍ତୁଙ୍କ ନିକଟକୁ ଯାଇ ଫଟୋ କିମ୍ବା ଭିଡିଓ ନନେବା ଏବଂ ବନ୍ୟଜନ୍ତୁଙ୍କ ଚଳାଚଳରେ ବାଧା ନଦେବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବନ ବିଭାଗର ଅଧିକାରୀମାନେ ଦେଉଥିବା ସୁରକ୍ଷା ନିର୍ଦ୍ଦେଶ ଅନୁସରଣ କରି ସୁରକ୍ଷିତ ଦୂରତାରେ ରହି ରିପୋର୍ଟିଂ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ବନ୍ୟଜନ୍ତୁ ସମ୍ପର୍କିତ ଖବର ଲୋକଙ୍କ ଉପରେ ତୁରନ୍ତ ପ୍ରଭାବ ପକାଇଥାଏ। ତେଣୁ ଅସତ୍ୟ, ଅସମ୍ପୂର୍ଣ୍ଣ କିମ୍ବା ଅତିରଞ୍ଜିତ ତଥ୍ୟ ପ୍ରକାଶ ନକରି ଘଟଣାର ପୃଷ୍ଠଭୂମି, ବନ୍ୟଜନ୍ତୁ ସୁରକ୍ଷାର ଆବଶ୍ୟକତା ଏବଂ ଲୋକଙ୍କ ଭୂମିକା ସମ୍ପର୍କରେ ତଥ୍ୟଭିତ୍ତିକ ଖବର ପ୍ରକାଶ କରିବାକୁ ଆଲୋଚନାରେ କୁହାଯାଇଥିଲା।

ମଣିଷ–ବନ୍ୟଜନ୍ତୁ ସଂଘାତ ସମୟରେ କିପରି ସତର୍କ ରହିବା, କେଉଁ ପଦକ୍ଷେପ ନେବା ଏବଂ କେଉଁ ଅଧିକାରୀଙ୍କୁ ସୂଚନା ଦେବା ଆବଶ୍ୟକ, ସେନେଇ ଲୋକଙ୍କୁ ସଚେତନ କରିବାରେ ଗଣମାଧ୍ୟମର ଭୂମିକା ଉପରେ ମଧ୍ୟ ମତବିନିମୟ ହୋଇଥିଲା।

କାର୍ଯ୍ୟକ୍ରମରେ ଭଦ୍ରକ ୱାଇଲ୍ଡଲାଇଫ୍ ଡିଭିଜନର DFOଙ୍କ ସମେତ ବନ ବିଭାଗର ଅଧିକାରୀ ଓ ବିଭିନ୍ନ ରେଞ୍ଜର ଉପସ୍ଥିତ ଥିଲେ। ଏହି ଅବସରରେ ବନ୍ୟଜନ୍ତୁ ସୁରକ୍ଷା, ବନ୍ୟଜନ୍ତୁ ଉଦ୍ଧାର, ମଣିଷ–ବନ୍ୟଜନ୍ତୁ ସଂଘାତ ଓ ରିପୋର୍ଟିଂ ସମୟରେ ଅବଲମ୍ବନୀୟ ସତର୍କତା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଥିଲା।

ଭୁବନେଶ୍ୱରସ୍ଥିତ ECO ସଂଗଠନର ପ୍ରତିଷ୍ଠାତା ଅରବିନ୍ଦ ସାମଲ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ବନ୍ୟଜନ୍ତୁ ସୁରକ୍ଷା ଓ ଗଣମାଧ୍ୟମର ଭୂମିକା ଉପରେ ମତ ରଖିଥିଲେ।

ବନ ବିଭାଗ ଓ ଗଣମାଧ୍ୟମ ମଧ୍ୟରେ ସମନ୍ୱୟ ରହିଲେ ବନ୍ୟଜନ୍ତୁ ସମ୍ପର୍କିତ ଖବର ଅଧିକ ତଥ୍ୟଭିତ୍ତିକ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ମତ ପ୍ରକାଶ ପାଇଥିଲା। ବନ୍ୟଜନ୍ତୁ ଓ ମଣିଷ ଉଭୟଙ୍କ ସୁରକ୍ଷା ସହ ସହାବସ୍ଥାନର ବାର୍ତ୍ତା ପହଞ୍ଚାଇବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ଆଲୋଚନାରେ କୁହାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *