ନଭେମ୍ବର ୧୦ରେ ଅଙ୍ଗାରୁଆ କଜ୍ଵଳେଇ ପାହାଡ଼ରେ ପୂଜା ଓ ପରିକ୍ରମା; ମହୋତ୍ସବ ପରିଚାଳନା ପାଇଁ କମିଟି ଗଠନ
କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ଭାଗବତ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଗୋ ନବରାତ୍ରୀ ଅବସରରେ ଗିରି ଗୋବର୍ଦ୍ଧନ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନ କ୍ରମେ ଘଷିପୁରା ବ୍ଲକ୍ର ବେଗୁନିଆଡିହି ଶ୍ରୀକ୍ଷେତ୍ର ଭାଗବତ ଟୁଙ୍ଗୀଠାରେ ଏହି ବୈଠକ ହୋଇଥିଲା।
ଘଷିପୁରା ବ୍ଲକ୍ ଭାଗବତ ପ୍ରଚାର ପ୍ରସାର ସମିତିର ଉପସଭାପତି ନୃସିଂହ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ନଭେମ୍ବର ୧୦ ତାରିଖରେ ଗିରିରାଜ ଗୋବର୍ଦ୍ଧନଙ୍କ ପୂଜା ଓ ପରିକ୍ରମା, ସୁରଭି ଗୋମାତାଙ୍କ ପୂଜା, ବନ୍ଦନା ଓ ପ୍ରଦକ୍ଷିଣ, ଭାଗବତ ସତ୍ସଙ୍ଗ ଏବଂ ପୂଜ୍ୟପୂଜା ପରମ୍ପରା ଅନୁଯାୟୀ ସମ୍ବର୍ଦ୍ଧନା ପର୍ବ ଆୟୋଜନ ନେଇ ଆଲୋଚନା ହୋଇଥିଲା।
ବୈଠକରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ଘଷିପୁରା ବ୍ଲକ୍ ସମିତିର ଉପଦେଷ୍ଟା ପ୍ରାଧ୍ୟାପକ ସନତ କୁମାର ରଥ, ସଭାପତି ମଙ୍ଗୁଳି ପୃଷ୍ଟି (ଆଭାସୀ ମାଧ୍ୟମରେ), ଉପଦେଷ୍ଟା ପଣ୍ଡିତ ଆଦିକନ୍ଦ ଦାସ, ସମ୍ପାଦକ ବେଲାଳସେନ ପତି, ଶ୍ରୀକ୍ଷେତ୍ର ଭାଗବତ ଟୁଙ୍ଗୀର ସଭାପତି ରବୀନ୍ଦ୍ର କୁମାର ଦାସଙ୍କ ସମେତ ଅନେକ ଭାଗବତ ଅନୁରାଗୀ ଓ ଭକ୍ତ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ।
ଗୋ ନବରାତ୍ରୀ ମହୋତ୍ସବର ପ୍ରଥମ ଦିନରେ ଘଷିପୁରା ବ୍ଲକ୍ ଭାଗବତ ପ୍ରଚାର ପ୍ରସାର ସମିତି ଓ ବେଗୁନିଆଡିହି ଶ୍ରୀକ୍ଷେତ୍ର ଭାଗବତ ଟୁଙ୍ଗୀର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଙ୍ଗାରୁଆ କଜ୍ଵଳେଇ ପାହାଡ଼ରେ ଗିରି ଗୋବର୍ଦ୍ଧନ ପୂଜା ଯଥାବିଧି ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ହୋଇଛି।
ମହୋତ୍ସବର ସୁପରିଚାଳନା ପାଇଁ ନୃସିଂହ ଚରଣ ଦାସଙ୍କୁ ଆବାହକ, ବେଲାଳସେନ ପତିଙ୍କୁ ସମ୍ପାଦକ ଏବଂ ପଣ୍ଡିତ ଆଦିକନ୍ଦ ଦାସଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଆସନ୍ତା ନଭେମ୍ବର ୭ ତାରିଖରେ ପରବର୍ତ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି।
