କଟକ, (ଓଡ଼ିଶ୍ରୀ ସମ୍ବାଦ): କଟକ ମହାନଗର ନିଗମ (ସିଏମ୍ସି)ର ୫୯ଟି ୱାର୍ଡରେ ୩୭୦୧ଟି କାର୍ଯ୍ୟାଦେଶ ଜରିଆରେ ୬୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାସ୍ତା, ନାଳନର୍ଦ୍ଦମା ସଫେଇ ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇଥିବା ନେଇ ବିଧାନସଭାରେ ତଥ୍ୟ ଦିଆଯାଇଥିବା ଦାବି କରାଯାଇଛି। ଏତେ ବଡ଼ ଅର୍ଥର କାର୍ଯ୍ୟ ଟେଣ୍ଡର ବିନା କରାଯାଇଥିବା ଅଭିଯୋଗକୁ ନେଇ କାର୍ଯ୍ୟର ସ୍ୱଚ୍ଛତା ଓ ନିୟମାନୁସାରିତା ଉପରେ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ୫୧ ନମ୍ବର ୱାର୍ଡରେ ୧୧୧ଟି ଏବଂ ୫୨ ନମ୍ବର ୱାର୍ଡରେ ୨୬ଟି ଫାଇଲ୍ ଜରିଆରେ ପ୍ରାୟ ୨ କୋଟି ୩୦ ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବା ଦାବି କରାଯାଇଛି। ଏହାସହ ୫୧ ନମ୍ବର ୱାର୍ଡର କର୍ପୋରେଟରଙ୍କ ଭାଇ ଓ ଦୁଇ ସମ୍ପର୍କୀୟଙ୍କ ନାମରେ ୧୦୦ଟି ଫାଇଲ୍ରେ ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବା ଅଭିଯୋଗ ରହିଛି।
ଅନ୍ୟପକ୍ଷରେ, MSWC-1 ନାଳର ପଙ୍କୋଦ୍ଧାର ପାଇଁ ୪୮ଟି ଫାଇଲ୍ ଜରିଆରେ ପ୍ରାୟ ୮୦ ଲକ୍ଷ ଟଙ୍କାର କାମ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୂର୍ବରୁ ଦିଆଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇଥିବା ସତ୍ତ୍ୱେ ପୁଣି କାର୍ଯ୍ୟାଦେଶ ଦିଆଯାଇଥିବା ଅଭିଯୋଗ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏଭଳି ଅଭିଯୋଗର ପୂର୍ଣ୍ଣ ତଦନ୍ତ ପାଇଁ ସିଏମ୍ସିର ସମସ୍ତ କାର୍ଯ୍ୟାଦେଶ, ବିଲ୍, ମାପ ବହି ଏବଂ କାର୍ଯ୍ୟ ସମ୍ପୂର୍ଣ୍ଣତା ପ୍ରମାଣପତ୍ର ଯାଞ୍ଚ କରିବାକୁ ଦାବି ହୋଇଛି। ଏଥିସହ ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଯାଇ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଗ ପଦକ୍ଷେପ ନେବାକୁ ଦାବି ହୋଇଛି।
ତେବେ ଟେଣ୍ଡର ପ୍ରକ୍ରିୟା, କାର୍ଯ୍ୟାଦେଶ ପ୍ରଦାନ ଏବଂ ଉପରୋକ୍ତ ଅଭିଯୋଗଗୁଡ଼ିକ ସମ୍ପର୍କରେ ସିଏମ୍ସି କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷ ଏହି ରିପୋର୍ଟ ପ୍ରସ୍ତୁତ ସମୟ ପର୍ଯ୍ୟନ୍ତ ମିଳିନାହିଁ।
