ପୁରୀ, (ଓଡ଼ିଶ୍ରୀ ସମ୍ବାଦ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନକୁ ନେଇ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ର ଅଂଶ ଭାବେ ଅକ୍ଟୋବର ୭ ତାରିଖରେ ପୁରୀ ଜିଲ୍ଲାସ୍ତରୀୟ ‘ସେବା ଜ୍ୟୋତି ଯାତ୍ରା’ ଅନୁଷ୍ଠିତ ହେବ। ଏହି ଅବସରରେ ବିକଶିତ ଭାରତ-୨୦୪୭ ସଂକଳ୍ପ ସହ ବିଭିନ୍ନ ବର୍ଗର ଲୋକଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ଏକାଧିକ କାର୍ଯ୍ୟକ୍ରମ ହେବ। ସେବା ସଂକଳ୍ପ ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବା ନେଇ ବିଜେପି ପକ୍ଷରୁ ଘୋଷଣା କରାଯାଇଛି।
ଯାତ୍ରାର ସଫଳ ଆୟୋଜନ ନେଇ ପୁରୀ ସର୍କିଟ୍ ହାଉସ୍ରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ପୁରୀ ମହାନଗର ନିଗମ କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା ବୈଠକରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁ ଭାବେ ପରିଚାଳନା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାସ୍ତର ସହ ବ୍ଲକସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ ନେଇ ଆଲୋଚନା ହୋଇଥିଲା।
ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଅକ୍ଟୋବର ୭ ତାରିଖ ସକାଳ ୭ଟାରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରୁ ସେବା ଜ୍ୟୋତି ଯାତ୍ରା ଆରମ୍ଭ ହୋଇ ବଗଲା ଧର୍ମଶାଳାରେ ପହଞ୍ଚିବ। ଶୋଭାଯାତ୍ରା ସମ୍ମୁଖରେ ସେବା ଜ୍ୟୋତି ବହନ କରୁଥିବା ଏକ ସୁସଜ୍ଜିତ ଯାନ ଗତି କରିବ। ବଗଲା ଧର୍ମଶାଳାରେ ବିକଶିତ ଭାରତ ସଂକଳ୍ପ ସଭା ଆୟୋଜିତ ହେବ।
ସଭାରେ ବିଭିନ୍ନ ବାର୍ତ୍ତା ପ୍ରଦର୍ଶନ, ବନ୍ଦେ ମାତରମ୍ ସଙ୍ଗୀତ ପରିବେଷଣ ଓ ବିକଶିତ ଭାରତ-୨୦୪୭ର ସାମୂହିକ ଶପଥ ପାଠ କରାଯିବ। ଏଥିସହ ମହାନଗର ନିଗମର ମହିଳା ଗୋଷ୍ଠୀ ପକ୍ଷରୁ ରଙ୍ଗୋଲି ବ୍ୟବସ୍ଥା କରାଯିବ।
କାର୍ଯ୍ୟକ୍ରମରେ ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ମଞ୍ଚ ସଜ୍ଜା, ଏଲ୍ଇଡି, ସାଉଣ୍ଡ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପରିମଳ ବ୍ୟବସ୍ଥା ନେଇ ବିଭିନ୍ନ ବିଭାଗକୁ ଦାୟିତ୍ୱ ଦିଆଯାଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ନିଳମାଧବ ଭୋଇ, ସୁଶାନ୍ତ କୁମାର ପତି, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଏସ୍ପି-୨ ସୁଶୀଲ କୁମାର ମିଶ୍ର, ଡା. ଲଲାଟେନ୍ଦୁ ମିଶ୍ର, ସନ୍ତୋଷ କୁମାର ସେଠୀ, ଦୀପକ କୁମାର ପାଢ଼ୀ, ହେମନ୍ତ ବେହେରା, ମନୋଜ କୁମାର ତ୍ରିପାଠୀ, ଗୋଲକ ବିହାରୀ ପଲେଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରାରମ୍ଭରେ ସ୍ୱାଗତ ଜଣାଇବା ସହ ବୈଠକରେ ଆୟୋଜନ ସମ୍ପର୍କିତ ସୂଚନା ରଖିଥିଲେ।
