ଶତାଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ, ସେବା ଓ ସାମାଜିକ ଦାୟିତ୍ୱ ପାଳନ ପାଇଁ ସଂକଳ୍ପ
ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସଦରସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସେବା ପକ୍ଷ ଅଭିଯାନ ଓ ସେବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ସେବା ଓ ସାମାଜିକ ଦାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ରେଡକ୍ରସ କାଉନସେଲର ତଥା ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) କାର୍ଯ୍ୟକ୍ରମ ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ, ଅର୍ଥନୀତି ଅଧ୍ୟାପକ ପ୍ରେମଚନ୍ଦ ତାଣ୍ଡି ଏବଂ ଶିକ୍ଷା ବିଭାଗର ଅଧ୍ୟାପକ ଲିଙ୍ଗରାଜ ରଣା ଉପସ୍ଥିତ ଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ସେବା ଶପଥ ଗ୍ରହଣ କରି ସମାଜ, ଦେଶ ଓ ପରିବେଶ ପ୍ରତି ନିଜର କର୍ତ୍ତବ୍ୟନିଷ୍ଠା ବଜାୟ ରଖିବାକୁ ସଂକଳ୍ପ ନେଇଥିଲେ। ଅଧ୍ୟାପକମାନେ ସେବା, ଶୃଙ୍ଖଳା, ସ୍ୱଚ୍ଛତା ଓ ସାମାଜିକ ଦାୟିତ୍ୱର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।
ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଓ ସେବାମୂଳକ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ୟାମ୍ପସ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରି ମହାବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଉଦ୍ୟମ କରିଥିଲେ।
