• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ, ୮ ପଦବି ପାଇଁ ୩୧ ପ୍ରାର୍ଥୀ

Byodishri Live

Oct 13, 2026

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ) : ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ କ୍ୟାମ୍ପସରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରେଣୀଗୃହରେ ପାଠପଢ଼ା ସହ ଏବେ ଜୋର୍‌ ଧରିଛି ନିର୍ବାଚନୀ ଚର୍ଚ୍ଚା। ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ କଲେଜ ପରିସରରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଘର ପର୍ଯ୍ୟନ୍ତ ପ୍ରଚାର ଚଳାଇଛନ୍ତି।

ଦୀର୍ଘ ବର୍ଷ ପରେ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ବେଶ୍‌ ଉତ୍ସାହ ରହିଛି। ଏହି ନିର୍ବାଚନ କେବଳ ପଦପଦବି ହାସଲର ଲଢ଼େଇ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ସମସ୍ୟା, ଦାବି ଓ ଅଧିକାରକୁ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଯୋଗ୍ୟ ପ୍ରତିନିଧି ବାଛିବାର ଏକ ସୁଯୋଗ ଭାବେ ଦେଖାଯାଉଛି।

୮ଟି ପଦବି ପାଇଁ ୩୧ ପ୍ରାର୍ଥୀ

ପ୍ରକାଶିତ ପ୍ରାର୍ଥୀ ତାଲିକା ଅନୁଯାୟୀ, ମହାବିଦ୍ୟାଳୟର ୮ଟି ପଦବି ପାଇଁ ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି। ସେଥିମଧ୍ୟରୁ ସଭାପତି ପଦ ପାଇଁ ସର୍ବାଧିକ ୭ ଜଣ ପ୍ରାର୍ଥୀ ଥିବାବେଳେ ଉପସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି।

ସେହିପରି ସହସମ୍ପାଦକ, ଡିଏସଏ ସମ୍ପାଦକ, ଡିଏସଏ ସହସମ୍ପାଦକ ଓ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ୩ ଜଣ ଲେଖାଏଁ ପ୍ରାର୍ଥୀ ଥିବାବେଳେ କ୍ରୀଡ଼ା ସମ୍ପାଦକ ପଦ ପାଇଁ ୪ ଜଣ ପ୍ରାର୍ଥୀ ରହିଛନ୍ତି। ପ୍ରାର୍ଥୀଙ୍କ ସଂଖ୍ୟା ଓ ପ୍ରଚାରର ତୀବ୍ରତାକୁ ଦେଖି କ୍ୟାମ୍ପସରେ ନିର୍ବାଚନୀ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ଡୋର୍‌-ଟୁ-ଡୋର୍‌ ପ୍ରଚାରରେ ପ୍ରାର୍ଥୀ

ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କଲେଜ ପରିସରରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଭେଟି ନିଜର ଯୋଗ୍ୟତା, ନେତୃତ୍ୱ ଦକ୍ଷତା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଜଣାଇ ସମର୍ଥନ ଲୋଡ଼ୁଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବାକୁ ମଧ୍ୟ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଉଛନ୍ତି।

ବ୍ୟକ୍ତିଗତ ସମ୍ପର୍କ, ବନ୍ଧୁତା ଓ ସହପାଠୀଙ୍କ ସମର୍ଥନ ନିର୍ବାଚନରେ ଗୁରୁତ୍ୱ ବହନ କରୁଥିବାରୁ ପ୍ରତ୍ୟେକ ଭୋଟ ନିଜ ସପକ୍ଷରେ ଆଣିବାକୁ ପ୍ରାର୍ଥୀମାନେ ଉଦ୍ୟମ ଚଳାଇଛନ୍ତି।

୧୪ରେ ପ୍ରାର୍ଥୀଙ୍କ ମତ ଉପସ୍ଥାପନ, ୧୫ରେ ଭୋଟ

ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୪ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ପ୍ରାର୍ଥୀମାନେ ନିଜର ନିର୍ବାଚନ ଲଢ଼ିବାର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ପ୍ରତି ନିଜ ଦାୟିତ୍ୱ ସମ୍ପର୍କରେ ମତ ରଖିବେ। ଅକ୍ଟୋବର ୧୫ ତାରିଖରେ ମତଦାନ ହେବାକୁ ଥିବାବେଳେ ୧୬ ତାରିଖରେ ବିଜୟୀ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।

ଶୃଙ୍ଖଳିତ ନିର୍ବାଚନ ଉପରେ କର୍ତ୍ତୃପକ୍ଷଙ୍କ ନଜର

ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଲିଙ୍ଗଡୋ କମିଶନଙ୍କ ନିୟମାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି।

ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ତେଜେଶ୍ୱର ନାୟକ ଦାୟିତ୍ୱ ତୁଲାଉଥିବାବେଳେ ସହନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ଦାୟିତ୍ୱରେ ଅଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ଦୀର୍ଘ ୪୬ ବର୍ଷ ପରେ ହେଉଥିବା ଏହି ଛାତ୍ର ସଂସଦ ନିର୍ବାଚନ ମହାବିଦ୍ୟାଳୟର ଛାତ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଏବେ ସମସ୍ତଙ୍କ ନଜର ଅକ୍ଟୋବର ୧୫ ତାରିଖର ମତଦାନ ଉପରେ ରହିଛି।

Spread the love

Leave a Reply

Your email address will not be published. Required fields are marked *