ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁ ଉପରେ ବସ୍ ପାର୍କିଂ ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ସେତୁ ଉପରେ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ବସ୍ ରହୁଥିବାରୁ ଦୁର୍ଘଟଣା ଆଶଙ୍କା ବଢ଼ୁଥିବା ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ପ୍ରତିଦିନ ୩ରୁ ୪ଟି ବସ୍ ବିଭିନ୍ନ ସମୟରେ ସେତୁ ଉପରେ ଧାଡ଼ି ହୋଇ ରହୁଛନ୍ତି। ଏହାଦ୍ୱାରା ସେତୁର ଅଧା ଅଂଶରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଫଳରେ ଅନ୍ୟ ଯାନବାହନ ଚଳାଚଳ କରିବାରେ ଅସୁବିଧା ହେବା ସହ ବିଭିନ୍ନ ସମୟରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହେଉଛି।
ବ୍ୟସ୍ତବହୁଳ ସେତୁ ଉପରେ ଏଭଳି ବସ୍ ପାର୍କିଂ ଯୋଗୁଁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଏହାକୁ ନେଇ ସାଧାରଣ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ତେଣୁ ସେତୁ ଉପରେ ଅନିୟନ୍ତ୍ରିତ ବସ୍ ପାର୍କିଂ ବନ୍ଦ କରିବା ସହ ଯାତାୟାତକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ପୋଲିସ ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
