ବରୀ, (ଓଡ଼ିଶ୍ରୀ ସମ୍ବାଦ): ବରୀ ବ୍ଲକର ସର୍ବପୁରାତନ ମହାବିଦ୍ୟାଳୟ ଭାବେ ପରିଚିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ଉତ୍ସାହ ବୃଦ୍ଧି ପାଇଛି। ନିର୍ବାଚନରେ ଜାତୀୟ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇନଥିବା ବେଳେ ଶାସକ ବିଜେପି ଓ ବିରୋଧୀ ବିଜେଡି ନିଜ ନିଜ ସମର୍ଥିତ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ବିଜୟୀ କରାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି।
ବିଶେଷକରି, ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନିଜ ପଞ୍ଚାୟତରେ ଏହି ମହାବିଦ୍ୟାଳୟ ଅବସ୍ଥିତ ଥିବାରୁ ଏଠାରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିଜୟକୁ ତାଙ୍କ ଲୋକପ୍ରିୟତା ସହ ଯୋଡ଼ି ଦେଖାଯାଉଛି। ଏହାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପଟେ, ବରୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଂଗଠନ ନଥିବା ସତ୍ତ୍ୱେ ବିଜେପି ପକ୍ଷରୁ ସମର୍ଥିତ ପ୍ରାର୍ଥୀ ଦିଆଯାଇଛି। କିନ୍ତୁ ବରୀ ବିଜେପିରେ ରହିଥିବା ଗୋଷ୍ଠୀକନ୍ଦଳ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ପୂର୍ବ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଉମେଶ ଜେନା ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଆଗକୁ ଆସିଥିବା ବେଳେ ସଂଗଠନ ସହ ଜଡ଼ିତ ଅନ୍ୟ ଦୁଇଜଣ ବିଜେପି ନେତାଙ୍କ ଅନୁପସ୍ଥିତି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିବା କୁହାଯାଉଛି।
ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ଚାଲିଥିବା ପ୍ରଚାର ଓ ଶକ୍ତି ପ୍ରଦର୍ଶନ ଏବେ ବରୀରେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
