ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ଭୁବନେଶ୍ୱର ଲୋୟର ପିଏମଜିରେ ତେଜିଛି ଯୋଗାଣ ସହାୟକଙ୍କ ଆନ୍ଦୋଳନ। ସ୍ଥାୟୀ ନିଯୁକ୍ତି ସହ ଉଚିତ ମଜୁରୀ ଦାବିରେ ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ଜାରି ରହିଛି ବିକ୍ଷୋଭ। ନିଜର ୧୧ ଦଫା ଦାବି ପୂରଣ ପାଇଁ ସଂଘର ସଦସ୍ୟମାନେ ସମୂହ ଛୁଟିରେ ରହିଛନ୍ତି। ଏହାସହ ସ୍ଥାୟୀ ନିଯୁକ୍ତି ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ସମସ୍ତ ଚୁକ୍ତିଭିତ୍ତିକ ଯୋଗାଣ ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏଥିସହ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦରମା ପ୍ରଦାନ ଏବଂ ଯୋଗାଣ ସହାୟକଙ୍କୁ ଜିଲ୍ଲା କ୍ୟାଡରରେ ସାମିଲ କରିବାକୁ ମଧ୍ୟ ଦାବି ରହିଛି।
ସେହିପରି ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳଙ୍କ ଦ୍ୱାରା ଯୋଗାଣ ସହାୟକଙ୍କ ନିଯୁକ୍ତି ପ୍ରଦାନ କରିବା ସହ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ସଂଘ ଦାବି କରିଛି। ନିଜର ହକ୍ ଓ ଅଧିକାର ପାଇଁ ଆନ୍ଦୋଳନକୁ ଜୋରଦାର କରିଥିବା ଯୋଗାଣ ସହାୟକ ସଂଘ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରଖିବ ବୋଲି କହିଛି।
