• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗରିବ ଓ ଅସହାୟଙ୍କ ସେବା ପାଇଁ ‘ଦରଦୀ ବନ୍ଧୁ ସେବା ଟ୍ରଷ୍ଟ’ର ଶୁଭାରମ୍ଭ

Byodishri Live

Oct 17, 2026

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ଗରିବ, ଅସହାୟ ଓ ଜନଜାତି ବର୍ଗର ଲୋକଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ଦୁଃଖସୁଖରେ ସାମିଲ ହେବା ଉଦ୍ଦେଶ୍ୟରେ କେନ୍ଦୁଝରରେ ‘ଦରଦୀ ବନ୍ଧୁ ସେବା ଟ୍ରଷ୍ଟ’ର ଶୁଭାରମ୍ଭ ହୋଇଛି। କେନ୍ଦୁଝରର ଆରାଧ୍ୟ ପ୍ରଭୁ ବଳଦେବଜୀଉ ଓ ସିଦ୍ଧମଠର ମା’ ସିଦ୍ଧକାଳୀଙ୍କ ଆଶୀର୍ବାଦ ନେଇ ଟ୍ରଷ୍ଟ ପକ୍ଷରୁ ଜନସେବାର ଏହି ନୂତନ ଯାତ୍ରା ଆରମ୍ଭ କରାଯାଇଛି।

ସମାଜର ଅବହେଳିତ, ଅସହାୟ ଓ ଆର୍ଥିକ ଅନଗ୍ରସର ଲୋକଙ୍କ ନିକଟରେ ପହଞ୍ଚି ସହଯୋଗର ହାତ ବଢ଼ାଇବା ଟ୍ରଷ୍ଟର ମୁଖ୍ୟ ଲକ୍ଷ୍ୟ। ବିଶେଷକରି ରକ୍ତ ଅଭାବରୁ ଯେପରି କାହାର ଜୀବନ ବିପଦରେ ନ ପଡ଼େ, ସେଥିପାଇଁ ରକ୍ତଦାନ ଓ ରକ୍ତ ଯୋଗାଣ କ୍ଷେତ୍ରରେ ସହଯୋଗ କରିବାକୁ ଟ୍ରଷ୍ଟ ପକ୍ଷରୁ ପ୍ରୟାସ କରାଯିବ। ସେହିପରି ପରିବାରର ରୋଜଗାରକ୍ଷମ ସଦସ୍ୟଙ୍କ ମୃତ୍ୟୁ ପରେ ଆର୍ଥିକ ଅନଟନ ଯୋଗୁଁ ଶୁଦ୍ଧିକ୍ରିୟା ସମ୍ପନ୍ନ କରିବାକୁ ଅସମର୍ଥ ଥିବା ପରିବାରଗୁଡ଼ିକୁ ସମ୍ଭବ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।

ଏଥିସହ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଆବଶ୍ୟକତା ଅନୁସାରେ ସେବା ଓ ସହଯୋଗ ପ୍ରଦାନ କରିବାକୁ ଟ୍ରଷ୍ଟ ସଂକଳ୍ପ ନେଇଛି। ଏହି ପଦକ୍ଷେପ ସମାଜରେ ସେବା, ସହଯୋଗ ଓ ମାନବିକତାର ଭାବନାକୁ ମଜଭୁତ କରିବ ବୋଲି ଆଶା ପ୍ରକାଶ ପାଇଛି।

ଟ୍ରଷ୍ଟର ଶୁଭାରମ୍ଭ ଅବସରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ପ୍ରଭୁ ବଳଦେବଜୀଉ ଓ ମା’ ସିଦ୍ଧକାଳୀଙ୍କ ଆଶୀର୍ବାଦ ନିଆଯାଇଥିଲା। ପରେ ସିଦ୍ଧମଠସ୍ଥିତ ମୂକବଧିର ବିଦ୍ୟାଳୟରେ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରାଯାଇଥିଲା। ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ସହ ସମାଜର ଅବହେଳିତ ବର୍ଗଙ୍କ ପାଇଁ ନିରନ୍ତର ସେବା କାର୍ଯ୍ୟ ଜାରି ରଖିବାକୁ ଟ୍ରଷ୍ଟ ପ୍ରତିବଦ୍ଧ ବୋଲି ସଭାପତି ବୈଶାଖୀ ମହାନ୍ତ କହିଛନ୍ତି।

ଏହି ଅବସରରେ ଟ୍ରଷ୍ଟର ସଭାପତି ବୈଶାଖୀ ମହାନ୍ତ, ଉପସଭାପତି ଶୂନ୍ୟରଞ୍ଜନ ଘଣା, ସମ୍ପାଦକ ସୌମ୍ୟରଞ୍ଜନ ବେହେରାଙ୍କ ସମେତ ରତ୍ନମଣି ସେଠୀ, ଦିଲ୍ଲୀପ ମୁଣ୍ଡା, ଧରିତ୍ରୀ ଖଣ୍ଡା, ସୁଜାତା ରାଉତ, ଆରତୀ ସାହୁ, ଦୀପକ ନାଏକ, ସୁବାସିନୀ ମହାକୁଡ଼, ଅର୍ପିତା ସେଠୀ, ଦୁର୍ଯ୍ୟୋଧନ ସାହୁ ଓ ନିବେଦିତା ସେଠୀଙ୍କ ସମେତ ଉପଦେଷ୍ଟା ରଜନୀକାନ୍ତ ବେହେରା, ସମରେନ୍ଦ୍ର ସିଂ, ସୁଢଳ କୁମାର ସେଠୀ, ବରିଷ୍ଠ ସାମ୍ବାଦିକ ଦିଲୀପ କୁମାର ସାହୁ, ହେମନ୍ତ ମହାରଣା, ଜଗବନ୍ଧୁ ମହାନ୍ତ ଓ ବିଶ୍ୱରଞ୍ଜନ ପତି ପ୍ରମୁଖ ଉପସ୍ଥିତ ରହି ଟ୍ରଷ୍ଟର ସେବାମୂଳକ କାର୍ଯ୍ୟକୁ ଆଗେଇ ନେବା ନେଇ ମତ ପ୍ରକାଶ କରିଥିଲେ।

‘ମାନବ ସେବା ହିଁ ମାଧବ ସେବା’ ଆଦର୍ଶକୁ ପାଥେୟ କରି ‘ଦରଦୀ ବନ୍ଧୁ ସେବା ଟ୍ରଷ୍ଟ’ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାର ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ସହାୟତାର ହାତ ହୋଇ ଠିଆ ହେବାକୁ ଲକ୍ଷ୍ୟ ରଖିଛି।

Spread the love

Leave a Reply

Your email address will not be published. Required fields are marked *