• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ତିନି ଲୁଟେରାଙ୍କୁ କାବୁ କଲା ପୁଲିସ

Byodishri Live

Oct 19, 2026

ସୁନା ଅଳଙ୍କାର ସମେତ ୬ଟି ବାଇକ୍‌ ଜବତ

ଭଞ୍ଜନଗର, (ଓଡ଼ିଶ୍ରୀ ସମ୍ବାଦ): ପରିବା ବ୍ୟବସାୟୀଙ୍କୁ ଲୁଟ୍‌ କରିବା ଉଦ୍ଦେଶ୍ୟରେ ଯୋଜନା କରୁଥିବା ଅଭିଯୋଗରେ ତିନି ଜଣଙ୍କୁ କାବୁ କରିଛି ଭଞ୍ଜନଗର ପୁଲିସ। ଅଭିଯାନ ସମୟରେ ଅନ୍ୟ କିଛି ସନ୍ଦିଗ୍ଧ ଘଟଣାସ୍ଥଳରୁ ଖସି ପଳାଇଥିବା ରବିବାର ଭଞ୍ଜନଗର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ରବିବାର ଭୋର୍‌ ସମୟରେ ବେଲଗୁଣ୍ଠା ରୋଡ୍‌ ଜାମପଲ୍ଲୀ ନିକଟ ଏକ ବୁଦା ପାଖରେ କିଛି ବ୍ୟକ୍ତି ଏକାଠି ହୋଇଥିବା ଖବର ପାଇ ଏସ୍‌ଆଇ ସମୀର କୁମାର ସେଠୀ ପୁଲିସ ଟିମ୍‌ ସହ ସେଠାରେ ଚଢ଼ାଉ କରିଥିଲେ। ଏହି ସମୟରେ କିଛି ବ୍ୟକ୍ତି ବରଙ୍ଗ ନାଳ ଆଡ଼କୁ ଦୌଡ଼ି ଖସି ପଳାଇଥିବା ବେଳେ ତିନି ଜଣଙ୍କୁ ପୁଲିସ ଧରିଥିଲା।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଅନୀଲ ଗୌଡ଼ (୨୨), ଦିଲ୍ଲୀପ ବେହେରା (୩୨) ଏବଂ ବେଲଗୁଣ୍ଠା ଥାନା ଅଞ୍ଚଳର ସଞ୍ଜୟ ଗୌଡ଼। ଡକାୟତି ଯୋଜନା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଅଭିଯୁକ୍ତମାନଙ୍କ ନିକଟରୁ ୬ଟି ଚୋରି ମୋଟରସାଇକେଲ, ଖଣ୍ଡା, ଛୁରୀ, ୨ଟି ଲାପଟପ୍‌, ୭ଟି ମୋବାଇଲ୍‌ ଫୋନ୍‌ ସହ ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ମଙ୍ଗଳସୂତ୍ର ଲକେଟ୍‌, କାନଫୁଲ, ମଥାମଣି, ପାଉଁଜି, ଗୋଡ଼ ମୁଦି ଓ ବ୍ରେସଲେଟ୍‌ ଆଦି ରହିଛି ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଜବତ ବାଇକ୍‌ଗୁଡ଼ିକ ବ୍ରହ୍ମପୁର ଓ ଭୁବନେଶ୍ୱର ଅଞ୍ଚଳରୁ ଚୋରି ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଚୋରି ବାଇକ୍‌ଗୁଡ଼ିକୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରୁଥିବା ନେଇ ମଧ୍ୟ ପୁଲିସ ସୂଚନା ଦେଇଛି।

ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର, ଏସ୍‌ଆଇ ସମୀର ସେଠୀ, ଜ୍ୟୋତ୍ସ୍ନାମୟୀ ସାହୁ ଓ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *