• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସୁନାବେଡ଼ା ମେଗା ଡ୍ରାଇଭ୍: ପହରିଆବସାରେ ଆଇନ ସଚେତନତା ଶିବିର, ଯୋଗଦେଲେ ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ

Byodishri Live

Oct 19, 2026

ନୂଆପଡ଼ା: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ପକ୍ଷରୁ ଚାଲିଥିବା ମେଗା ଡ୍ରାଇଭ୍ ଅଧୀନରେ ସୁନାବେଡ଼ା ଗ୍ରାମ ପଞ୍ଚାୟତର ଢେକୁନପାନି ଗ୍ରାମସ୍ଥିତ ପହରିଆବସାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ପହରିଆ ସମ୍ପ୍ରଦାୟର ଲୋକଙ୍କୁ ଆଇନଗତ ଅଧିକାର, ନିଃଶୁଳ୍କ ଆଇନ ସହାୟତା ଓ ନ୍ୟାୟ ପ୍ରାପ୍ତିର ବିଭିନ୍ନ ଉପାୟ ସମ୍ପର୍କରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ପଦ୍ମଶ୍ରୀ ବିଜେତା ତଥା ବିଶିଷ୍ଟ ଲୋକକଳା ଓ ସାହିତ୍ୟ ଗବେଷକ ଡ. ମହେନ୍ଦ୍ର କୁମାର ମିଶ୍ର, ବରିଷ୍ଠ ଶିକ୍ଷାବିତ୍, ଖଡ଼ିଆଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଲେଖକ ଫନିନ୍ଦମ ସିଂହଦେଓ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଅଜିତ୍ ପଣ୍ଡା, ଚାକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା (CBDA)ର ସ୍ୱତନ୍ତ୍ର ଅଧିକାରୀ ବିଜୟାନନ୍ଦ ମଲ୍ଲିକ, କୋମନାର ଆଇନଜୀବୀ ସୋହେଲ୍ ଖାନ୍ ଏବଂ ଆଦର୍ଶ କନ୍ୟା ଗୁରୁକୁଳର ପ୍ରାଚାର୍ଯ୍ୟା ଲତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସ୍ଥାନୀୟ ମହିଳାମାନେ ପହରିଆ ଭାଷାରେ ଗୀତ ଗାଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭, ଲୋକ ଅଦାଲତ, ମଧ୍ୟସ୍ଥତା, ସ୍ଥାୟୀ ଲୋକ ଅଦାଲତ (PLA) ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA)ର ନିଃଶୁଳ୍କ ଆଇନ ସହାୟତା ହେଲ୍ପଲାଇନ୍ ନମ୍ବର ୧୫୧୦୦ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ଏହା ସହିତ ପହରିଆ ସମ୍ପ୍ରଦାୟର ଜୀବନଚର୍ଯ୍ୟା, ଭାଷା, ସଂସ୍କୃତି, ପରମ୍ପରା ଓ ସାମାଜିକ ପରିଚୟର ସ୍ୱତନ୍ତ୍ରତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ନିଜ ନିଜ ପୁସ୍ତକ ଓ ଲେଖାରେ ଏହି ସମ୍ପ୍ରଦାୟର ଜୀବନଶୈଳୀ ସମ୍ପର୍କରେ ଉଲ୍ଲେଖ କରିବା ସହ ଏହାର ଭାଷା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ।

ପହରିଆ ସମ୍ପ୍ରଦାୟର ଲୋକମାନେ ଯେପରି ସହଜରେ ଆଇନ ସେବା ପାଇପାରିବେ ଏବଂ ନିଜର ଅଧିକାର ସମ୍ପର୍କରେ ଜାଣିପାରିବେ, ସେଥିପାଇଁ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ସିଆରପିଏଫ୍ ଯବାନଙ୍କ ପାଇଁ ମଧ୍ୟ ସଚେତନତା ଶିବିର

ପହରିଆବସାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଶେଷ ହେବା ପରେ ଢେକୁନପାନିସ୍ଥିତ ସିଆରପିଏଫ୍ (CRPF) କ୍ୟାମ୍ପରେ ଯବାନମାନଙ୍କ ପାଇଁ ଆଉ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏଠାରେ ନିଃଶୁଳ୍କ ଆଇନ ସହାୟତା, NALSAର ବୀର ପରିବାର ସହାୟତା ଯୋଜନା, ନାଗରିକଙ୍କ ଅଧିକାର ଏବଂ ନ୍ୟାୟ ପାଇବାର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

ଆଦିବାସୀ ମାନ୍ୟତା ଦାବି ପ୍ରସଙ୍ଗ ଉଠାଇଲେ

ପହରିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ପ୍ରସଙ୍ଗ ମଧ୍ୟ ଏହି ଅବସରରେ ଗୁରୁତ୍ୱ ପାଇଥିଲା। ଦୀର୍ଘଦିନ ଧରି ଦାବି ହୋଇଆସୁଥିବା ସତ୍ତ୍ୱେ ଏହି ସମ୍ପ୍ରଦାୟକୁ ଏପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିନଥିବା କୁହାଯାଇଛି। ଏପରି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ପହରିଆ ସମ୍ପ୍ରଦାୟର ଲୋକଙ୍କ ନିକଟରେ ଆଇନ ସେବା ପହଞ୍ଚାଇବା ଏବଂ ସେମାନଙ୍କୁ ନ୍ୟାୟ ପ୍ରାପ୍ତିର ସୁଯୋଗ ସମ୍ପର୍କରେ ସଚେତନ କରାଇବା ଦିଗରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏହି ପଦକ୍ଷେପକୁ ଉଲ୍ଲେଖନୀୟ ପ୍ରୟାସ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *