ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ୫୫ତମ ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ମଙ୍ଗଳବାର ଅପରାହ୍ନ ୪ଟାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଲାଖବିନ୍ଧା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଜାବାଦ୍ୟ ଓ ଖଣ୍ଡା ପରିକ୍ରମା ସହ ଏହି ପାରମ୍ପରିକ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଉତ୍ସାହର ସହ ସମ୍ପନ୍ନ ହୋଇଥିଲା। ଏଥିରେ ମୁରିବାହାଲ ବସ୍ତି ବନ୍ଧପଡ଼ାର କାଂହୁ ସାହୁ ବିଜେତା ହୋଇଥିଲେ।
ପରମ୍ପରା ଅନୁଯାୟୀ, ପୂଜାର କର୍ତ୍ତା ଅଗସ୍ତି ବଘାର ଖଣ୍ଡା ଧରି ବାଜାବାଦ୍ୟ ସହ ଗ୍ରାମର ପ୍ରତ୍ୟେକ ଘରକୁ ପରିକ୍ରମା କରିଥିଲେ। ଏହି ସମୟରେ ଗ୍ରାମର ମହିଳାମାନେ ନିଜ ନିଜ ଘର ସମ୍ମୁଖରେ ଖଣ୍ଡାକୁ ବନ୍ଦାପନା କରିଥିଲେ। ଏହାପରେ ମୁରିବାହାଲ ହାଇସ୍କୁଲ ପଡ଼ିଆରେ ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପଡ଼ିଆରେ ବହୁ ସଂଖ୍ୟାରେ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଅଜିତ ତରିଆ, ଉପସଭାପତି ଅବିନାଶ ଭୋଇ, ସମ୍ପାଦକ ସଞ୍ଜୟ ବାଗ, କୋଷାଧ୍ୟକ୍ଷ ପ୍ରଶାନ୍ତ ମାହାର, ସହସମ୍ପାଦକ ଜିତେଶ ସେଠ୍ ଓ ଲଳିତ କୁମାର ବଘାର ପ୍ରମୁଖ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ଆସନ୍ତାକାଲି ମା’ଙ୍କ ଭସାଣି ଉତ୍ସବ
ଅନ୍ୟପକ୍ଷରେ, ଆସନ୍ତାକାଲି ମା’ ଦୁର୍ଗାଙ୍କ ବିସର୍ଜନ ଓ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ କୁମ୍ଭାରୀର ମହାକାଳ ଦଳ, ଟିଟିଲାଗଡ଼ର ଡାଲଖାଇ ଦଳ ସମେତ ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ଦଳ ଯୋଗଦେବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
