ଭଦ୍ରକ, (ଓଡ଼ିଶ୍ରୀ ସମ୍ବାଦ): ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି ଓ କ୍ରୀଡ଼ା ମନୋଭାବ ସୃଷ୍ଟି ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ‘ମହକ’ ଓ ‘ଉତ୍ସାହ-୨୦୨୬’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅକ୍ଟୋବର ୨୨ ତାରିଖରେ ଜିଲ୍ଲା ସଂସ୍କୃତି ଭବନଠାରେ ଶିଶୁ ଯତ୍ନ ଅନୁଷ୍ଠାନ ମହୋତ୍ସବ ‘ମହକ’ ଅନୁଷ୍ଠିତ ହୋଇଥିବା ବେଳେ ୨୩ ତାରିଖରେ ବାଗୁରାଇସ୍ଥିତ ବିନ୍ଦୁ ମାଧବ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆନ୍ତଃ ଶିଶୁ ଯତ୍ନ ଅନୁଷ୍ଠାନ କ୍ରୀଡ଼ା ପ୍ରତିଯୋଗିତା ‘ଉତ୍ସାହ-୨୦୨୬’ ଆୟୋଜିତ ହୋଇଥିଲା। ଏହି ଦୁଇ କାର୍ଯ୍ୟକ୍ରମରେ ଶିଶୁମାନେ ନିଜ ପ୍ରତିଭା ଓ କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ।
ଅକ୍ଟୋବର ୨୨ ତାରିଖରେ ଆୟୋଜିତ ‘ମହକ’ ମହୋତ୍ସବକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ ଉଦ୍ଘାଟନ କରିଥିଲେ। ଏଥିରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, କିଶୋର ନ୍ୟାୟ ପରିଷଦ ସଦସ୍ୟ ବେଣୁଧର ସାହୁ, ସୁରକ୍ଷା ଅଧିକାରିଣୀ ସବିତା ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଓ ପ୍ରାକ୍ତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ହିଁ ‘ମହକ’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ କହିଥିଲେ। ଡେପୁଟି କଲେକ୍ଟର ଶ୍ରୀ ମଣ୍ଡଳ ମଧ୍ୟ ଶିଶୁମାନଙ୍କୁ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ମହୋତ୍ସବରେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ବକ୍ତୃତା, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ୍, ପ୍ରତିଭା ଅନ୍ୱେଷଣ ଓ ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ‘ମହକ’ ଉତ୍ସବରେ ଭାଗ ନେବାର ସୁଯୋଗ ପାଇବେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।
ଅନ୍ୟପକ୍ଷରେ, ଅକ୍ଟୋବର ୨୩ ତାରିଖରେ ବାଗୁରାଇସ୍ଥିତ ବିନ୍ଦୁ ମାଧବ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ‘ଉତ୍ସାହ-୨୦୨୬’ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ସଦସ୍ୟ ପ୍ରଦୀପ୍ତ କର, ଶିକ୍ଷକ ରବୀନ୍ଦ୍ର ମହାନ୍ତି, କିଶୋର ନ୍ୟାୟ ପରିଷଦ ସଦସ୍ୟ ବେଣୁଧର ସାହୁ, ପ୍ରାକ୍ତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।
ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବାଳକ ଓ ବାଳିକାଙ୍କ ପାଇଁ ୧୦୦ ମିଟର ଓ ୨୦୦ ମିଟର ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, କ୍ୟାରମ୍, ଚେସ୍ ଓ ଫୁଟବଲ୍ ଆଦି ପ୍ରତିଯୋଗିତା ହୋଇଥିଲା। ଖେଳ ପ୍ରଶିକ୍ଷକ ତପନ କୁମାର ମିଶ୍ର ଓ ତାଙ୍କ ଦଳର ତତ୍ତ୍ୱାବଧାନରେ ପ୍ରତିଯୋଗିତାଗୁଡ଼ିକ ସମ୍ପନ୍ନ ହୋଇଥିଲା।
ଏହି ପ୍ରତିଯୋଗିତାରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ବାଳକ ଫୁଟବଲ୍ ଦଳ ଓ ଶାନ୍ତି ଆଶ୍ରମର ବାଳିକା ଫୁଟବଲ୍ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି। ଏହା ଭଦ୍ରକ ଜିଲ୍ଲା ପାଇଁ ଗୌରବର ବିଷୟ।
ଉଦ୍ଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ, ସଦସ୍ୟ ଓ ସଦସ୍ୟା ମମତା ରାୟଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
‘ମହକ’ ଓ ‘ଉତ୍ସାହ-୨୦୨୬’ ମାଧ୍ୟମରେ ଶିଶୁମାନେ ନିଜ ପ୍ରତିଭା ପ୍ରଦର୍ଶନ, ନୂତନ ଦକ୍ଷତା ହାସଲ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସୁଯୋଗ ପାଇଛନ୍ତି। ଶିଶୁମାନଙ୍କ ସାମଗ୍ରିକ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ଏକ ପ୍ରୟାସ ଭାବେ ଦେଖାଦେଇଛି।
