• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବେହେରାଗାଁରେ ଏକଦିବସୀୟ ମହିଳା ସମ୍ମିଳନୀ ଅନୁଷ୍ଠିତ

Byodishri Live

Oct 24, 2026

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଟିକାବାଲି ନିକଟସ୍ଥ ବେହେରାଗାଁ ମଣ୍ଡଳୀଠାରେ ବିଲିଭର୍ସ ଇଷ୍ଟର୍ଣ୍ଣ ଚର୍ଚ୍ଚ, ଘୁ. ଉଦୟଗିରି ଚର୍ଚ୍ଚ ଜିଲ୍ଲା ଆନୁକୂଲ୍ୟରେ ଏକଦିବସୀୟ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। “ମଣ୍ଡଳୀ ଦୃଢ଼ୀକରଣ: ବିଶ୍ୱାସ, ଜୀବନ ଓ ସେବା” ଶୀର୍ଷକରେ ଆୟୋଜିତ ଏହି ସମ୍ମିଳନୀରେ ମହିଳାମାନଙ୍କ ଆଧ୍ୟାତ୍ମିକ ଜୀବନ, ଖ୍ରୀଷ୍ଟୀୟ ବିଶ୍ୱାସ ଓ ପ୍ରଭୁଙ୍କ ସେବା ଉପରେ ଆଲୋଚନା କରାଯାଇଥିଲା।

ଚର୍ଚ୍ଚ ଜିଲ୍ଲାର ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ୍ ରେଭରେଣ୍ଡ ଫାଦର ଲେବିୟ ରାଇତାଙ୍କ ଆହ୍ୱାନକ୍ରମେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ଓ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ଓଡ଼ିଶା ଡାଇଓସିସ୍‌ରୁ ଆସିଥିବା ବିଷପ୍ ଆଚାର୍ଯ୍ୟ ହିମାଂଶୁ ନାୟକ ବିଶ୍ୱାସର ମହତ୍ତ୍ୱ ସମ୍ପର୍କରେ ଧାର୍ମିକ ବାର୍ତ୍ତା ପ୍ରଦାନ କରିଥିଲେ। ବ୍ରହ୍ମପୁରରୁ ଆସିଥିବା ଫାଦର ଆଚାର୍ଯ୍ୟ ଫିରୋଜ ସେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେହିପରି ସମ୍ବଲପୁରରୁ ଆସିଥିବା ବକ୍ତା ତଥା ଜିଲ୍ଲା ମହିଳା ସମିତିର ସମ୍ପାଦିକା ସସ୍ମିତା ନାୟକ ଜୀବନ ସମ୍ପର୍କରେ ବାଇବଲ ଆଧାରିତ ବାଣୀ ପ୍ରଦାନ କରିଥିଲେ।

ସମ୍ମିଳନୀରେ ବାଇବଲଭିତ୍ତିକ କୁଇଜ୍‌, ଖ୍ରୀଷ୍ଟୀୟ ପାଲା, ନୃତ୍ୟ ଓ ସଙ୍ଗୀତ ଆଦି ପରିବେଷଣ କରାଯାଇଥିଲା। ଏହା ମାଧ୍ୟମରେ ମହିଳାମାନେ ଧାର୍ମିକ ଓ ଆଧ୍ୟାତ୍ମିକ ଚିନ୍ତନରେ ସାମିଲ ହେବା ସହ ପରସ୍ପର ମଧ୍ୟରେ ଭାବ ଓ ବିଶ୍ୱାସର ଆଦାନପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଘୁ. ଉଦୟଗିରି ଡାଇଓସିସ୍‌ର ରେଭରେଣ୍ଡ ଫାଦର ବିନୋଦ ଚନ୍ଦ୍ର ନାୟକ ଓ ରେଭରେଣ୍ଡ ଫାଦର ସିମିୟାନ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ମଣ୍ଡଳୀର ମହିଳା ସମିତି ସଦସ୍ୟାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ସେମାନେ ପ୍ରାର୍ଥନା, ଧାର୍ମିକ ବାଣୀ ଶ୍ରବଣ ଓ ଆଧ୍ୟାତ୍ମିକ ଚିନ୍ତନ ମାଧ୍ୟମରେ ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।

ଏହି ସମ୍ମିଳନୀ ମହିଳାମାନଙ୍କ ମଧ୍ୟରେ ଖ୍ରୀଷ୍ଟୀୟ ବିଶ୍ୱାସ, ଏକତା ଓ ସେବା ମନୋଭାବକୁ ସୁଦୃଢ଼ କରିବା ସହ ମଣ୍ଡଳୀର ଆଧ୍ୟାତ୍ମିକ ବିକାଶରେ ସହାୟକ ହୋଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ବେହେରାଗାଁ ବିଲିଭର୍ସ ଇଷ୍ଟର୍ଣ୍ଣ ଚର୍ଚ୍ଚର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *