ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଅନେକ ଦୁର୍ଗମ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। କେଉଁଠି ପକ୍କା ରାସ୍ତା ନାହିଁ ତ ଆଉ କେଉଁଠି ନାଳ ପାର ହେବା ପାଇଁ ଭରସା କେବଳ କାଠ ଗଣ୍ଡିରେ ତିଆରି ଅସ୍ଥାୟୀ ପୋଲ। ଏଭଳି ବିପଦପୂର୍ଣ୍ଣ ରାସ୍ତାରେ ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ଲୋକେ ଯାତାୟାତ କରୁଛନ୍ତି। ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକ ସୀମାନ୍ତରେ ଥିବା ଦୁର୍ଗାପଙ୍ଗା ଓ ଗୁମା ପଞ୍ଚାୟତ ଅନ୍ତର୍ଗତ ୧୦ରୁ ଊର୍ଦ୍ଧ୍ୱ ଗାଁର ୮୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ଏଭଳି ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଡିମିଲି, ଭାଲୁଗୁଡ଼ା, ବାଡ଼ିପାଙ୍ଗା, ଲିଡ୍ରାଙ୍ଗି, କାଣିବାରୁ ଓ ଗୋଲାମପଙ୍ଗା ସମେତ ଅନ୍ୟାନ୍ୟ ଗାଁ ପାହାଡ଼ପର୍ବତ ଘେରା ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏହି ଗାଁଗୁଡ଼ିକର ଲୋକଙ୍କ ପାଇଁ ନାଳ ଉପରେ କାଠ ଗଣ୍ଡି ପକାଇ ତିଆରି ହୋଇଥିବା ଅସ୍ଥାୟୀ ପୋଲ ଯାତାୟାତର ମୁଖ୍ୟ ମାଧ୍ୟମ ପାଲଟିଛି। ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ପୋଲ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।
ବର୍ଷାଦିନେ ନାଳରେ ଜଳସ୍ତର ବୃଦ୍ଧି ପାଇଲେ ଗାଁଗୁଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାତାୟାତ ଏବଂ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାରେ ବାଧା ସୃଷ୍ଟି ହେଉଛି। ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏଥିସହ ଭଲ ରାସ୍ତା, ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ୍ ସେବା ଓ ମୋବାଇଲ୍ ନେଟୱାର୍କ ଭଳି ମୌଳିକ ସୁବିଧାର ଅଭାବ ଅଞ୍ଚଳବାସୀଙ୍କ ସମସ୍ୟାକୁ ଆହୁରି ଜଟିଳ କରିଛି।
ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ ଏହି ଦୁର୍ଗମ ଗାଁଗୁଡ଼ିକରେ ସ୍ଥାୟୀ ପୋଲ ଓ ପକ୍କା ରାସ୍ତା ନିର୍ମାଣ ହୋଇନପାରିବାକୁ ନେଇ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ।
ନିର୍ବାଚନ ସମୟରେ ବିଭିନ୍ନ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ବାସ୍ତବରେ ଦାବି ପୂରଣ ହେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଦୀର୍ଘଦିନର ଅବହେଳାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସମସ୍ୟାର ସମାଧାନ କରାନଗଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
ଦୁର୍ଗମ ଅଞ୍ଚଳର ଲୋକଙ୍କ ଯାତାୟାତ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ସ୍ଥାୟୀ ପୋଲ ଓ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି। ଦୀର୍ଘଦିନର ଏହି ସମସ୍ୟା କେବେ ଦୂର ହେବ ଏବଂ ଗ୍ରାମବାସୀଙ୍କ ପାଖରେ କେବେ ବିକାଶର ସୁଫଳ ପହଞ୍ଚିବ, ତାହାକୁ ନେଇ ଏବେ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
