• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବଲସକୁମ୍ପାରେ ମା’ ବରାଳ ଦେବୀଙ୍କ ମହାନବମୀ ପୂଜା ଧୁମ୍‌ଧାମରେ ପାଳିତ

Byodishri Live

Oct 24, 2026

ବଲସକୁମ୍ପା, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ବଲସକୁମ୍ପାସ୍ଥିତ ମା’ ବରାଳ ଦେବୀଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମହାନବମୀ ପୂଜା ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ ବରାଳ ଦେବୀଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା ଚାଲିଥିବା ବେଳେ ମହାନବମୀ ତିଥିରେ ମା’ଙ୍କ ବାର୍ଷିକ ଉତ୍ସବ ଓ ସ୍ୱତନ୍ତ୍ର ପୂଜାନୀତି ସମ୍ପନ୍ନ ହୋଇଥିଲା। ଭୋର ସକାଳୁ ମା’ଙ୍କ ସ୍ନାନ, ମାଜଣା, ସ୍ୱତନ୍ତ୍ର ବେଶ ଓ ଗୁପ୍ତନୀତି ସମ୍ପନ୍ନ ହେବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ପାରମ୍ପରିକ ବାଦ୍ୟ, ଘଣ୍ଟ, ଶଙ୍ଖ ଓ ହୁଳହୁଳି ଧ୍ୱନିରେ ସମଗ୍ର ପୀଠ ଭକ୍ତିମୟ ହୋଇଉଠିଥିଲା। ମନସ୍କାମନା ପୂରଣ ପାଇଁ ଭକ୍ତମାନେ ମା’ଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରିବା ସହ ନଡ଼ିଆ ଓ ଭୋଗ ଅର୍ପଣ କରିଥିଲେ।

ବିଜୟାଦଶମୀ ତିଥିରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ପାରମ୍ପରିକ ‘ଆଳାମାଡ଼’ ପର୍ବ ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିଲା।

ଏହି ଅବସରରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ମା’ ଇଷ୍ଟଦେବୀ ଯୁବ କଳା ପରିଷଦ ପକ୍ଷରୁ ସାମାଜିକ ନାଟକ ‘ହେ ମଣିଷ, କାନ୍ଦିବ ଆସ’ ପରିବେଷଣ କରାଯାଇଥିଲା। ହସ ଓ ଲୁହରେ ଭରା ଏହି ନାଟକ ଶହ ଶହ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

ବିଶ୍ୱର ମଙ୍ଗଳ ଓ ସମସ୍ତଙ୍କ ସୁଖସମୃଦ୍ଧି କାମନା କରି ଭକ୍ତମାନେ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *