• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କଣ୍ଟାବାଞ୍ଜିରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଅଭିଯୋଗ: ନାଳରୁ ଦୁର୍ଗନ୍ଧ, ମଶା ବଂଶବୃଦ୍ଧି ନେଇ ଚିନ୍ତା

Byodishri Live

Oct 28, 2026

ବଲାଙ୍ଗୀର/କଣ୍ଟାବାଞ୍ଜି (ଓଡ଼ିଶ୍ରୀ ସମ୍ବାଦ): କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା ନେଇ ଅଭିଯୋଗ ଉଠିଛି। ବିଭିନ୍ନ ସ୍ଥାନରେ ନାଳର ମଇଳା ପାଣି ଜମି ରହିବା ସହ ରାସ୍ତା ଉପରକୁ ମାଡ଼ି ଆସୁଥିବାରୁ ସ୍ଥାନୀୟ ଲୋକେ ଦୁର୍ଗନ୍ଧ ଓ ଅସ୍ୱାସ୍ଥ୍ୟକର ପରିବେଶର ସମ୍ମୁଖୀନ ହେଉଛନ୍ତି। ଏଥିସହ ମଶାଙ୍କ ସଂଖ୍ୟା ବଢ଼ୁଥିବା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।

ସାପ୍ତାହିକ ବଜାରକୁ ଯିବା ରାସ୍ତା ଏବଂ ମା’ ମୋବାଇଲ୍ ଷ୍ଟୋର୍‌ ସମ୍ମୁଖରେ ନାଳର ମଇଳା ପାଣି ଜମି ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି। କେବଳ ଏହି ଅଞ୍ଚଳ ନୁହେଁ, ୱାର୍ଡ ନମ୍ବର ୫ର ନୂଆପଡ଼ା, ଚିଙ୍ଗରିପଡ଼ା ଓ ବନ୍ଧପଡ଼ାର ବିଭିନ୍ନ ସାହିରେ ମଧ୍ୟ ସମାନ ସ୍ଥିତି ରହିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୧୬ଟି ୱାର୍ଡରେ ପରିମଳ ସମସ୍ୟା ଦେଖାଦେଉଛି। ନାଳନର୍ଦ୍ଦମା ନିୟମିତ ସଫା କରାଯାଉନଥିବା ସହ ଫିନାଇଲ୍ ଓ ବ୍ଲିଚିଂ ପାଉଡର୍‌ ନିୟମିତ ପ୍ରୟୋଗ କରାଯାଉନଥିବାରୁ ଦୁର୍ଗନ୍ଧ ଏବଂ ମଶାଙ୍କ ଉପଦ୍ରବ ବଢ଼ୁଥିବା ସେମାନେ କହିଛନ୍ତି।

ମଶା କାମୁଡ଼ା ଯୋଗୁଁ ବୃଦ୍ଧବୃଦ୍ଧା ଓ ଶିଶୁମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ଏହା ସହ ଜଡ଼ିତ ଅସୁସ୍ଥତାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ହୋଇନାହିଁ।

ଏହି ସମସ୍ୟାର ସମାଧାନ ପାଇଁ ନାଳନର୍ଦ୍ଦମାର ନିୟମିତ ସଫେଇ, ଦୁର୍ଗନ୍ଧ ଦୂର କରିବା ପାଇଁ ଉପଯୁକ୍ତ ରାସାୟନିକ ପଦାର୍ଥର ପ୍ରୟୋଗ, ବ୍ଲିଚିଂ ପାଉଡର୍‌ ବ୍ୟବହାର ଏବଂ ମଶା ନିୟନ୍ତ୍ରଣ ପାଇଁ ନିୟମିତ ସ୍ପ୍ରେ କରିବାକୁ ସାଧାରଣରେ ଦାବି ହୋଇଛି। ସମ୍ପୃକ୍ତ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *