• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଦରମା କରାଇଦେବା ନାଁରେ ୯ ଲକ୍ଷ ଟଙ୍କା ଆଦାୟ ଅଭିଯୋଗ

Byodishri Live

Oct 30, 2026

ଦଶରଥପୁର ବ୍ଲକର ସିଆରପି, ଏମ୍‌ବିକେ ଓ ବ୍ୟାଙ୍କମିତ୍ରଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗ; ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

ଦଶରଥପୁର, (ଓଡ଼ିଶ୍ରୀ ସମ୍ବାଦ): ଦଶରଥପୁର ବ୍ଲକରେ କାର୍ଯ୍ୟରତ ସିଆରପି, ଏମ୍‌ବିକେ ଓ ବ୍ୟାଙ୍କମିତ୍ରଙ୍କ ୬ ମାସର ବକେୟା ଦରମା କରାଇଦେବା ନାଁରେ ପ୍ରାୟ ୯ ଲକ୍ଷ ଟଙ୍କା ଆଦାୟ ହୋଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ଅକ୍ଟୋବର ୨୦୨୫ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୬ ମାସର ଦରମା ମଞ୍ଜୁର କରାଇଦେବା ଆଶ୍ୱାସନା ଦେଇ ଏହି ଟଙ୍କା ଆଦାୟ କରାଯାଇଥିବା କେତେକ କର୍ମୀ ଅଭିଯୋଗ କରିଛନ୍ତି।

ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଜୀବିକା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଋଣ ଓ ଆର୍ଥିକ ସହାୟତା ପ୍ରଦାନ ସହ ଋଣ ପ୍ରକ୍ରିୟା ଓ ପରିଶୋଧରେ ସହଯୋଗ କରିବା ପାଇଁ ଦଶରଥପୁର ବ୍ଲକରେ ୧୯୬ ଜଣ ସିଆରପି, ୩୫ ଜଣ ଏମ୍‌ବିକେ ଓ ୧୭ ଜଣ ବ୍ୟାଙ୍କମିତ୍ର କାର୍ଯ୍ୟ କରୁଛନ୍ତି।

ଅଭିଯୋଗ ଅନୁଯାୟୀ, ସିଆରପିମାନଙ୍କଠାରୁ ଜଣପିଛା ୩ ହଜାର ଟଙ୍କା ଏବଂ ଏମ୍‌ବିକେ ଓ ବ୍ୟାଙ୍କମିତ୍ରଙ୍କଠାରୁ ଜଣପିଛା ୬ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଛି। ଏହିପରି ସାରା ବ୍ଲକରୁ ପ୍ରାୟ ୯ ଲକ୍ଷ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ହୋଇଛି।

କେତେକ ସିଆରପି, ଏମ୍‌ବିକେ ଓ ବ୍ୟାଙ୍କମିତ୍ରଙ୍କ ଅଭିଯୋଗ ଅନୁସାରେ, ଟଙ୍କା ନଦେଲେ ଦରମା ହେବ ନାହିଁ ବୋଲି ସେମାନଙ୍କୁ ଭୟଭୀତ କରାଯାଇଥିଲା। ଦରମା ପାଇବା ଆଶାରେ ଅନିଚ୍ଛା ସତ୍ତ୍ୱେ ସେମାନେ ଟଙ୍କା ଦେଇଥିବା କେତେକ କର୍ମୀ ଗଣମାଧ୍ୟମ ଆଗରେ କହିଥିବା ଜଣାପଡ଼ିଛି।

ଏହି ଟଙ୍କା ଆଦାୟ ଓଏଲ୍‌ଏମ୍‌ର କେତେକ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ହୋଇଥିବା ଏବଂ ଆଦାୟ ଟଙ୍କାରେ କେତେକ ରାଜନେତା, ସରକାରୀ ଅଧିକାରୀ ଓ ଓଏଲ୍‌ଏମ୍‌ ଅଧିକାରୀଙ୍କ ଭାଗ ଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ତଦନ୍ତ ହୋଇ ସତ୍ୟାସତ୍ୟ ସାମ୍ନାକୁ ଆସିବା ଆବଶ୍ୟକ।

ସମ୍ପୃକ୍ତ କର୍ମୀମାନେ ଦାବି କରିଛନ୍ତି ଯେ ଆଦାୟ ହୋଇଥିବା ଟଙ୍କା ଫେରସ୍ତ କରାଯାଉ। ନଚେତ୍‌ ସେମାନେ ଯାଜପୁର ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀ ଏବଂ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏହି ଅଭିଯୋଗରେ ସମ୍ପୃକ୍ତ ଥିବା କୁହାଯାଉଥିବା ଜଣେ ଅଧିକାରୀଙ୍କର ଦଶରଥପୁର ବ୍ଲକରୁ ଅନ୍ୟତ୍ର ବଦଳି ହୋଇଥିବା ଜଣାପଡ଼ିଛି। ତେବେ ବଦଳି ହୋଇଥିଲେ ମଧ୍ୟ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କର୍ମୀମାନେ ଦାବି କରିଛନ୍ତି।

ତେବେ ପ୍ରକୃତରେ କେତେ ଟଙ୍କା ଆଦାୟ ହୋଇଛି, କିଏ ଏହା ଆଦାୟ କରିଛନ୍ତି ଏବଂ ଟଙ୍କା କେଉଁଠାକୁ ଯାଇଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।

Spread the love

Leave a Reply

Your email address will not be published. Required fields are marked *