ଗାଈ ଚରାଇବାକୁ ଯାଇଥିବା ବେଳେ ଅତର୍କିତ ଆକ୍ରମଣ; ରେଢ଼ାଖୋଲରୁ ବୁର୍ଲା ସ୍ଥାନାନ୍ତର
ଚାରମାଳ, (ଓଡ଼ିଶ୍ରୀ ସମ୍ବାଦ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଡ଼ମାଳ ପଞ୍ଚାୟତର ପଳସାମାଳ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ ସାହସିକ ଉଦ୍ୟମ ଯୋଗୁଁ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରାଯାଇଛି। ଆହତ ବୃଦ୍ଧ ଜଣକ ହେଲେ ଗୌରଚନ୍ଦ୍ର ଧରୁଆ (୫୫)।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ଗୌରଚନ୍ଦ୍ର ନିକଟସ୍ଥ ଏକ ସ୍ଥାନକୁ ଗାଈ ଚରାଇବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ବଣୁଆ ଭାଲୁ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲା। ଭାଲୁଟି ତାଙ୍କ ହାତ ଓ ପିଠିରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ।
ବୃଦ୍ଧଙ୍କ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉଦ୍ୟମ କରି ଭାଲୁ କବଳରୁ ଗୌରଚନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଅଞ୍ଚଳରେ ବାରମ୍ବାର ଭାଲୁ ବୁଲୁଥିବା ଅଭିଯୋଗ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
