• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନିର୍ମାଣାଧୀନ ରାସ୍ତାର ମାନ ଯାଞ୍ଚ କଲେ କ୍ୱାଲିଟି କଣ୍ଟ୍ରୋଲ ଅଧିକାରୀ

Byodishri Live

Oct 30, 2026

ଗୋଲାରହାଟ-ଏଣ୍ଡର ରାସ୍ତା କାମରେ ଅନିୟମିତତା ଅଭିଯୋଗ; ୧୦.୨୭ କୋଟି ଟଙ୍କାର ପ୍ରକଳ୍ପକୁ ନେଇ ଉଠିଲା ପ୍ରଶ୍ନ

କେନ୍ଦ୍ରାପଡ଼ା, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣାଧୀନ ରାସ୍ତାର ନିମ୍ନମାନକୁ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ କ୍ୱାଲିଟି କଣ୍ଟ୍ରୋଲ ଟିମ୍ ପକ୍ଷରୁ ମାନ ଯାଞ୍ଚ କରାଯାଇଛି। ଡେରାବିଶ ବ୍ଲକ୍‌ର ଗୋଲାରହାଟଠାରୁ ଏଣ୍ଡର ପର୍ଯ୍ୟନ୍ତ ନିର୍ମାଣାଧୀନ ଏହି ରାସ୍ତା କାମରେ ଅନିୟମିତତା ହୋଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଥିଲେ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାର ଅନେକ ସ୍ଥାନରେ ଗୋଡ଼ି ବିଛାଯିବା ପରେ ତାହା ଉଠିଯାଉଛି। ଠିକାଦାର ଅଧା କାମ କରି ଛାଡ଼ି ଚାଲିଯାଇଥିବାରୁ ରାସ୍ତା ଅସମ୍ପୂର୍ଣ୍ଣ ରହିଛି। ଏହି ସ୍ଥିତିରେ ଗାଡ଼ିମୋଟର ଚଳାଚଳ ଯୋଗୁଁ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଦୈନିକ ଯାତାୟାତ କରୁଥିବା ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ଅଭିଯୋଗ ପରେ କ୍ୱାଲିଟି କଣ୍ଟ୍ରୋଲ ଟିମ୍ ଗତକାଲି ରାସ୍ତାରେ ପହଞ୍ଚି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ରାସ୍ତାର କେତେକ ସ୍ଥାନରେ ନିର୍ମାଣ ସାମଗ୍ରୀର ମାନ ଓ କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଥିବା ଜଣାପଡ଼ିଛି। ରାସ୍ତାର ଉପରିଭାଗରେ ପିଚୁ ଠିକ୍ ଭାବେ ପଡ଼ିନଥିବା ଏବଂ ଦୁଇ ପାର୍ଶ୍ୱରେ ମାଟି ପକାଯାଇନଥିବା ଅଭିଯୋଗ ମଧ୍ୟ ରହିଛି। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ପୂର୍ବରୁ କେତେକ ସ୍ଥାନରେ ଏହା ଭାଙ୍ଗିବା ଆରମ୍ଭ କରିଥିବା କୁହାଯାଉଛି।

ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ପଚରାଯିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଯାଞ୍ଚ ସମୟରେ କ୍ୱାଲିଟି କଣ୍ଟ୍ରୋଲ ଅଧିକାରୀମାନେ ରାସ୍ତାର ନିର୍ମାଣ ମାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୦.୨୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଅଧା କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ଏତେ ଅର୍ଥ ବ୍ୟୟ ସତ୍ତ୍ୱେ ରାସ୍ତାର ଏଭଳି ସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏହି ନିର୍ମାଣ କାର୍ଯ୍ୟର ନିରପେକ୍ଷ ତଦନ୍ତ କରି ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ସହ ରାସ୍ତାର ଗୁଣବତ୍ତା ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *