‘ସମୃଦ୍ଧି ପାଇଁ ସଞ୍ଚୟ’ ଶୀର୍ଷକରେ ପ୍ୟାନେଲ୍ ଆଲୋଚନାଚକ୍ର, ସଞ୍ଚୟ ଓ ନିବେଶର ଗୁରୁତ୍ୱ ଉପରେ ଆଲୋକପାତ
ମୟୂରଭଞ୍ଜ, ବାରିପଦା (ଓଡ଼ିଶ୍ରୀ ସମ୍ବାଦ): ଆନ୍ତର୍ଜାତୀୟ ସଞ୍ଚୟ ଦିବସ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ଶନିବାର (୩୧ ଅକ୍ଟୋବର ୨୦୨୬) ଏକ ପ୍ୟାନେଲ୍ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। “ସମୃଦ୍ଧି ପାଇଁ ସଞ୍ଚୟ: ପ୍ରଭାବଶାଳୀ ନିବେଶ ଓ ସମାବେଶୀ ଅଭିବୃଦ୍ଧିର ମାର୍ଗ” ଶୀର୍ଷକରେ ଆୟୋଜିତ ଏହି ଆଲୋଚନାଚକ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଧରଣୀଧର ବିଶ୍ୱବିଦ୍ୟାଳୟର ପୂର୍ବତନ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ତଥା ଅର୍ଥନୀତି ପ୍ରଫେସର ସତ୍ୟବ୍ରତ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ବିଶ୍ଳେଷଣାତ୍ମକ ଓ ପ୍ରୟୋଗମୂଳକ ଅର୍ଥନୀତି ବିଭାଗର ଆର୍ବିଆଇ ଚେୟାର ପ୍ରଫେସର ସୁଧାକର ପାତ୍ର ଏବଂ ଆୟୋଜକ ବିଶ୍ୱବିଦ୍ୟାଳୟର ବ୍ୟବସାୟ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡ. ସୀତାରାମ ଦାସ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ। ସେମାନେ ସଞ୍ଚୟ ଓ ନିବେଶର ବିଭିନ୍ନ ଦିଗ ଉପରେ ନିଜର ମତାମତ ରଖିଥିଲେ।
ପ୍ରାରମ୍ଭରେ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର କବିତା କୁମାରୀ ସାହୁ ସ୍ୱାଗତ ଭାଷଣ ଦେବା ସହ ଆଲୋଚନାର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ନିମନ୍ତ୍ରିତ ବକ୍ତାମାନେ ସଞ୍ଚୟକୁ ଆର୍ଥିକ ସୁରକ୍ଷା ଓ ସମୃଦ୍ଧିର ଏକ ପ୍ରମୁଖ ଆଧାର ଭାବେ ଅଭିହିତ କରିଥିଲେ। ସଞ୍ଚିତ ଅର୍ଥର ସଠିକ୍ ଉପଯୋଗ ଦ୍ୱାରା ନିବେଶ, ସ୍ଥାୟୀ ଅଭିବୃଦ୍ଧି ଏବଂ ସମାବେଶୀ ବିକାଶକୁ କିପରି ଗତିଶୀଳ କରାଯାଇପାରିବ, ସେ ସମ୍ପର୍କରେ ସେମାନେ ମତ ରଖିଥିଲେ।
ଆଲୋଚନାଚକ୍ରରେ ବ୍ୟକ୍ତିଗତ ସଞ୍ଚୟ ନିଷ୍ପତ୍ତିଠାରୁ ଆରମ୍ଭ କରି ଦେଶର ଅର୍ଥନୈତିକ ପ୍ରଗତି ପର୍ଯ୍ୟନ୍ତ ସଞ୍ଚୟର ଭୂମିକା ଉପରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ଏହା ସହ ଏକ ପ୍ରଶ୍ନୋତ୍ତର ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଗବେଷକମାନେ ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ସଞ୍ଚୟ, ନିବେଶ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ।
ଶେଷରେ ଡ. ମଳୟ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
