ହଜାର ହଜାର ଭାଷାପ୍ରେମୀଙ୍କ ଶୋଭାଯାତ୍ରା, ଅଷ୍ଟମ ଅନୁସୂଚୀରେ ସାମିଲ ସହ ଦ୍ୱିତୀୟ ରାଜଭାଷା ମାନ୍ୟତା ଦାବି
ମୟୂରଭଞ୍ଜ/ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ମୁଣ୍ଡାରୀ ଭାଷାର ଅଧିକାର, ଅସ୍ମିତା ଓ ସମ୍ମାନର ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ‘ମୁଣ୍ଡାରୀ ଭାଷା ଉଲ୍ଗୁଲାନ୍’ ଏବେ ଏକ ବ୍ୟାପକ ଜନଆନ୍ଦୋଳନର ରୂପ ନେବାକୁ ଯାଉଛି। ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଆହ୍ୱାନରେ ଶୁକ୍ରବାର ବେତନଟୀ ବ୍ଲକରେ ଏକ ବିଶାଳ ଜନସମାବେଶ ଓ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ସହ ଓଡ଼ିଶାର ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ପ୍ରଦାନ ଦାବିରେ ହଜାର ହଜାର ଭାଷାଭାଷୀ ଲୋକ ଏଥିରେ ସାମିଲ ହୋଇଥିଲେ।
ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ମୁଣ୍ଡାରୀ ଭାଷାଭାଷୀ ସମାଜର ଭାଷାଗତ ଅଧିକାର, ସାଂସ୍କୃତିକ ପରିଚୟ ଓ ଆଗାମୀ ପିଢ଼ିର ସ୍ୱାଭିମାନର ସୁରକ୍ଷା ପାଇଁ ଗଠିତ ଏକ ସାମୂହିକ ମଞ୍ଚ। ମୁଣ୍ଡା ସମାଜର ୧୭ଟି ସାମାଜିକ ସଂଗଠନର ସହଯୋଗ ଓ ସମନ୍ୱୟରେ ଗଠିତ ଏହି କମିଟି ଭାଷା ଆନ୍ଦୋଳନକୁ ଗାଁରୁ ବ୍ଲକ, ବ୍ଲକରୁ ଜିଲ୍ଲା ଏବଂ ଜିଲ୍ଲାରୁ ରାଜ୍ୟ ଓ ଜାତୀୟ ସ୍ତରକୁ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛି। ଜନସମାବେଶ, ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ ଓ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦାବିକୁ ଆନ୍ଦୋଳନର ରୂପ ଦିଆଯାଉଛି।
ଆନ୍ଦୋଳନର ଦୁଇଟି ପ୍ରମୁଖ ଦାବି ହେଉଛି ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଏବଂ ଓଡ଼ିଶାର ଦ୍ୱିତୀୟ ରାଜଭାଷା ଭାବେ ସ୍ୱୀକୃତି ପ୍ରଦାନ କରିବା। ଏହି ଦାବି ନେଇ ବେତନଟୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ମୁଣ୍ଡାରୀ ଭାଷା ଭାରତର ପ୍ରାଚୀନ ଆଦିବାସୀ ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ। ଏହା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ମୁଣ୍ଡା ସମାଜର ଇତିହାସ, ପାରମ୍ପରିକ ଜ୍ଞାନ, ଲୋକସଂସ୍କୃତି ଓ ପ୍ରକୃତି ସହ ଥିବା ସମ୍ପର୍କର ଜୀବନ୍ତ ପରିଚୟ ବୋଲି ଆନ୍ଦୋଳନକାରୀମାନେ ମତ ରଖିଛନ୍ତି। ଭଗବାନ ବିରସା ମୁଣ୍ଡାଙ୍କ ସଂଘର୍ଷ ଓ ବଳିଦାନ ଆଦିବାସୀ ଅସ୍ମିତା ଓ ସ୍ୱାଧିକାରର ପ୍ରତୀକ। ସେହିପରି ସମ୍ବିଧାନ ସଭାରେ ଆଦିବାସୀ ସମାଜର ଅଧିକାର ପାଇଁ ସ୍ୱର ଉଠାଇଥିବା ମାରାଙ୍ଗ ଗୋମକେ ଜୟପାଲ ସିଂହ ମୁଣ୍ଡାଙ୍କ ଅବଦାନକୁ ମଧ୍ୟ ଏହି ଆନ୍ଦୋଳନରେ ସ୍ମରଣ କରାଯାଇଛି।
ଜନଗଣନା ୨୦୧୧ରେ ମୁଣ୍ଡାରୀ ଓ ମୁଣ୍ଡା ମାତୃଭାଷା ସମ୍ପର୍କିତ ତଥ୍ୟ ଉପସ୍ଥାପିତ ହୋଇଥିଲେ ମଧ୍ୟ ଭାଷାଭାଷୀ ଜନସଂଖ୍ୟାର ସଠିକ୍ ଚିତ୍ର ପାଇଁ ସ୍ୱଚ୍ଛ ଓ ସଠିକ୍ ସରକାରୀ ଆକଳନ ଆବଶ୍ୟକ ବୋଲି କମିଟି ପକ୍ଷରୁ ମତ ପ୍ରକାଶ ପାଇଛି। ପ୍ରାଚୀନ ଇତିହାସ ଓ ସମୃଦ୍ଧ ସଂସ୍କୃତି ସତ୍ତ୍ୱେ ମୁଣ୍ଡାରୀ ଭାଷା ଏଯାବତ୍ ଅଷ୍ଟମ ଅନୁସୂଚୀରେ ସ୍ଥାନ ପାଇନଥିବାରୁ ଭାଷାଭାଷୀ ସମାଜ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଆନ୍ଦୋଳନକାରୀମାନେ କହିଛନ୍ତି।
ଶୁକ୍ରବାର ବେତନଟୀ ଧର୍ମଶାଳାଠାରୁ ବେତନଟୀ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଆୟୋଜକଙ୍କ ସୂଚନା ଅନୁସାରେ, ବେତନଟୀ ବ୍ଲକର ୧୫ଟି ଗ୍ରାମପଞ୍ଚାୟତରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଏଥିରେ ଯୋଗଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀଙ୍କ ଉତ୍ସାହ ଓ ମନୋବଳରେ କୌଣସି ହ୍ରାସ ଦେଖାଯାଇନଥିଲା। ପାରମ୍ପରିକ ବେଶଭୂଷାରେ ସଜ୍ଜିତ ପୁରୁଷ ଓ ମହିଳାମାନେ ଶୃଙ୍ଖଳିତ ଭାବେ ଦୁଇ ଧାଡ଼ିରେ ପଦଯାତ୍ରା କରିଥିଲେ। ପାରମ୍ପରିକ ବାଦ୍ୟଯନ୍ତ୍ର, ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲା।
ଏହି ଆନ୍ଦୋଳନରେ ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂ, ମୁଣ୍ଡାରୀ ଭାଷା ପରୀକ୍ଷା ନିୟନ୍ତ୍ରକ ଭଗବାନ ସିଂ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ପର୍ଯ୍ୟବେକ୍ଷକ ରାମେଶ୍ୱର ସିଂ, ବାଉଁଶବିଲା ପଞ୍ଚାୟତ ଆବାହକ ସୁନାରାମ ସିଂ, ଗୁଣ୍ଡିହୁଡ଼ି ପଞ୍ଚାୟତ ଆବାହକ ଉମେଶ ଚନ୍ଦ୍ର ସିଂ, ବଡ଼ସାହି ବ୍ଲକ ଆବାହକ ବୈଦ୍ୟନାଥ ସିଂ, ବଡ଼ସାହି ବ୍ଲକର ୨୨ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ସିଂ, ଶ୍ୟାମାଖୁଣ୍ଟା ବ୍ଲକର ୪୯ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ସିଂ, ଆଗ୍ରିଆ ସରପଞ୍ଚ ମିନତି ସିଂ, ସଠିଲୋ ସରପଞ୍ଚ ଦେବିମଣି ସିଂ, ନାଏବ ସରପଞ୍ଚ ସବ୍ୟସାଚୀ ସିଂ ଏବଂ ବେତନଟୀ ଗ୍ରାମପଞ୍ଚାୟତର ସମିତି ସଭ୍ୟ ରଣଜିତ ସିଂଙ୍କ ସମେତ ବହୁ ଜନପ୍ରତିନିଧି, ସାମାଜିକ ସଂଗଠନର କର୍ମକର୍ତ୍ତା ଓ ଭାଷାପ୍ରେମୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ବେତନଟୀ ବ୍ଲକ ଆବାହକ ତପନ ସିଂ, ବ୍ଲକ ସମ୍ପାଦକ ମହାଦେବ ସିଂ, ରୁହ୍ୟା ସିଂ, ପଦ୍ମାବତୀ ସିଂ, ବୈଷ୍ଣବ ଚରଣ ସିଂ, ତୁଫାନ ସିଂ, ଦଲୁ ସିଂ ଓ ପୂଜକ ସନାତନ ସିଂଙ୍କ ସମେତ ବିଭିନ୍ନ ମୁଣ୍ଡାରୀ ଭାଷା ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସହଯୋଗୀ ସଂଗଠନର କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରିଥିଲେ।
ବେତନଟୀର ଏହି ଜନସମାବେଶ ମୁଣ୍ଡାରୀ ଭାଷାର ଅଧିକାର ଓ ସମ୍ମାନ ପାଇଁ ଗଢ଼ିଉଠୁଥିବା ଜନଜାଗରଣର ଏକ ବଡ଼ ପଦକ୍ଷେପ ଭାବେ ଦେଖାଦେଇଛି। ଏବେ ଏହି ଦାବି ଉପରେ ରାଜ୍ୟ ଓ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଭାଷାଭାଷୀ ସମାଜର ନଜର ରହିଛି।
