ନୟାଗଡ଼ର ଦୁଇ ଯୁବକ ଗିରଫ, ଗଞ୍ଜେଇ ଚୋରାଚାଲାଣ ନେଇ ଅବକାରୀ ବିଭାଗର ତଦନ୍ତ ଜାରି
ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଅବକାରୀ ବିଭାଗର ଅଭିଯାନ ଜାରି ରହିଛି। ଏହି କ୍ରମରେ ଅକ୍ଟୋବର ୩୦ ତାରିଖରେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗଡ଼ପଦର ଛକ ନିକଟରେ ଚଢ଼ଉ କରି ୪୦ କିଲୋଗ୍ରାମ ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡ଼ି ଜବତ କରିଛି ଜିଲ୍ଲା ମୋବାଇଲ୍ ଅବକାରୀ ସ୍କ୍ୱାଡ୍। ଏହି ଘଟଣାରେ ନୟାଗଡ଼ ଜିଲ୍ଲାର ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏକ ସ୍କର୍ପିଓ ଗାଡ଼ିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହାକୁ ଆଧାର କରି ଅବକାରୀ ଏସ୍ଆଇ ପ୍ରକାଶ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଡ଼ପଦର ଛକ ନିକଟରେ ଯାଞ୍ଚ ଆରମ୍ଭ କରିଥିଲା।
ଏହି ସମୟରେ ଫୁଲବାଣୀ ପଟୁ ଆସୁଥିବା ଏକ ଧଳା ରଙ୍ଗର ସ୍କର୍ପିଓ (ନଂ. OD-05-AR-9085)କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିର ପଛ ସିଟ୍ ତଳେ କଳା ପ୍ଲାଷ୍ଟିକ୍ ବସ୍ତାରେ ରଖାଯାଇଥିବା ୪୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏଥିସହ ଚୋରାଚାଲାଣରେ ବ୍ୟବହୃତ ସ୍କର୍ପିଓ ଗାଡ଼ିଟିକୁ ମଧ୍ୟ ଜବତ କରାଯାଇଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ଗ୍ରାମର ଉଲ୍ଲାସ ମଲ୍ଲିକ ଓ ଆଦିତ୍ୟ ଗାଣ୍ଠିଆ। ପ୍ରାଥମିକ ପଚରାଉଚରାରୁ ସେମାନେ କନ୍ଧମାଳର ଏକ ପାହାଡ଼ିଆ ଅଞ୍ଚଳରୁ ଗଞ୍ଜେଇ କିଣି ନୟାଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରିବାକୁ ନେଉଥିବା ଜଣାପଡ଼ିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।
ଏହି ଚଢ଼ଉରେ ଅବକାରୀ ଏସ୍ଆଇ ପ୍ରକାଶ ଚନ୍ଦ୍ର ମଲ୍ଲିକଙ୍କ ସହ କନଷ୍ଟେବଲ୍ ଏମ୍. ସଞ୍ଜୀବ କୁମାର, ଲେଡି କନଷ୍ଟେବଲ୍ ମିନତୀ ଗଉନ୍ତିଆ ଓ କନଷ୍ଟେବଲ୍ ଜ୍ଞାନ ପ୍ରକାଶ ସାହୁ ସାମିଲ ଥିଲେ। ଏନେଇ ଅବକାରୀ ଥାନାରେ ପିଆର୍ କେସ୍ ନଂ. ୨୩୧/୨୦୨୬-୨୭ ରୁଜୁ ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଏନ୍ଡିପିଏସ୍ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।
ଏହି ଚୋରାଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଗଞ୍ଜେଇ କାହା ନିକଟକୁ ପଠାଯାଉଥିଲା, ସେନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ରାସ୍ତା ଓ ସମ୍ବେଦନଶୀଳ ଅଞ୍ଚଳରେ ଯାନବାହନ ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
