ଚାରମାଳ, (ଓଡ଼ିଶ୍ରୀ ସମ୍ବାଦ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ ଚାରମାଳ ଆଞ୍ଚଳିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ପରିସରରେ ଦୀର୍ଘଦିନ ହେଲା ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ନିକଟରେ ଥିବା ଆଲୋକ ଖୁଣ୍ଟରେ ଲାଗିଥିବା ଲାଇଟ୍ ଜଳୁନଥିବାରୁ ସନ୍ଧ୍ୟା ହେବା ମାତ୍ରେ ସମଗ୍ର ପରିସର ଅନ୍ଧକାରମୟ ହୋଇପଡ଼ୁଛି। ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଚାରମାଳ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ଶତାଧିକ ଲୋକ ନିର୍ଭର କରନ୍ତି। ବିଶେଷକରି ରାତି ସମୟରେ ଜରୁରୀକାଳୀନ ଚିକିତ୍ସା କିମ୍ବା ପ୍ରସବ ପାଇଁ ଆସୁଥିବା ଗର୍ଭବତୀ ମହିଳା ଓ ବୟସ୍କ ବ୍ୟକ୍ତିମାନେ ଅନ୍ଧାର ଯୋଗୁଁ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏଥିସହ ଅନ୍ଧାରର ସୁଯୋଗ ନେଇ ମେଡିକାଲକୁ ଆସୁଥିବା ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହେବାର ଆଶଙ୍କା ମଧ୍ୟ ରହିଛି।
ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବା ସତ୍ତ୍ୱେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଲୋକ ବ୍ୟବସ୍ଥା ଥାଇ ମଧ୍ୟ କିଛି ଲାଇଟ୍ ଦୀର୍ଘଦିନ ଧରି ଅଚଳ ହୋଇପଡ଼ି ରହିଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ତେଣୁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଅଚଳ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକର ମରାମତି କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ଆଲୋକିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
