ଦଶରଥପୁର, (ଓଡ଼ିଶ୍ରୀ ସମ୍ବାଦ): ରାଷ୍ଟ୍ରୀୟ ଏକତା ଦିବସ ତଥା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ମଙ୍ଗଳପୁର ଥାନା ପକ୍ଷରୁ ଗଣଦୌଡ଼ ଓ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଶନିବାର ସକାଳ ୭ଟା ସମୟରେ ମଙ୍ଗଳପୁର ଥାନାଠାରୁ ମଙ୍ଗଳପୁର ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଏହି ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗଳପୁର ଥାନା ଆଇଆଇସି ଭୁବନ ମୋହନ ସେଠୀ, ଏସ୍ଆଇ ଅନିତା ପ୍ରଧାନ, ଏଏସ୍ଆଇ ଜଟାଧାରୀ ଦାସ, ଏଏସ୍ଆଇ ସଂଯୁକ୍ତା ପଣ୍ଡା ଓ ପ୍ଲାବନ ମହାପାତ୍ରଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଯୋଗଦେଇଥିଲେ।
ଏହାସହ ମଙ୍ଗଳପୁର ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ, ବରିଷ୍ଠ ସାମ୍ବାଦିକ ମହେଶ୍ୱର ଜେନାଙ୍କ ସମେତ ସାମ୍ବାଦିକ ରାକେଶ ସାହୁ, ସୀତାଂଶୁ ଶେଖର ଜେନା, ପ୍ରତାପ ମଲ୍ଲିକ, ମନୋରଞ୍ଜନ ମଲ୍ଲିକ, ସଞ୍ଜୟ ରାୟ, ସୁଶାନ୍ତ ବେହୁରିଆ ଓ ପ୍ରକାଶ ସାହୁ ଏବଂ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଗଣଦୌଡ଼ରେ ସାମିଲ ହୋଇଥିଲେ।
ଏହି ଅବସରରେ ମଙ୍ଗଳପୁର ଥାନା ଅଞ୍ଚଳକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନିଶାଦ୍ରବ୍ୟ ସେବନର କୁପ୍ରଭାବ ଏବଂ ଏହାର ନିରାକରଣ ଦିଗରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମଙ୍ଗଳପୁର ଥାନା ପକ୍ଷରୁ ଆୟୋଜିତ ଏହି ଗଣଦୌଡ଼ ଓ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
