୨୪୩ କେଜି ତମ୍ବା ଓ ପିତ୍ତଳ ଜବତ, ଦୁଇ ଅଭିଯୁକ୍ତ ଗିରଫ
ପାରାଦୀପ: ପାରାଦୀପ ଅଞ୍ଚଳରେ ବେଆଇନ ସ୍କ୍ରାପ୍ ଚାଲାଣ ବିରୋଧରେ ପାରାଦୀପ ଲକ୍ ପୋଲିସକୁ ସଫଳତା ମିଳିଛି। ଏକ କଳା ରଙ୍ଗର ଅଟୋରେ ଚୋରା ଚାଲାଣ ହେଉଥିବା ୨୪୩ କିଲୋଗ୍ରାମ ତମ୍ବା ଓ ପିତ୍ତଳ ସାମଗ୍ରୀ ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଅକ୍ଟୋବର ୩୧ ତାରିଖ ଅପରାହ୍ନ ପ୍ରାୟ ୪ଟା ୫ ମିନିଟ୍ ସମୟରେ ପାରାଦୀପ ଲକ୍ ଥାନା ନିକଟରେ ଏକ ସନ୍ଦେହଜନକ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ। ଏହି ସମୟରେ ଅଟୋ ଭିତରୁ ୬ଟି ପଲିଥିନ୍ ପ୍ୟାକେଟ୍ରେ ରଖାଯାଇଥିବା ତମ୍ବା ଓ ପିତ୍ତଳ ସାମଗ୍ରୀ ମିଳିଥିଲା। ଜବତ ସାମଗ୍ରୀ ମଧ୍ୟରେ ୨୧୯ କିଲୋଗ୍ରାମ ତମ୍ବା ଓ ୨୪ କିଲୋଗ୍ରାମ ପିତ୍ତଳ ରହିଛି।
ଏହି ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜଳେଶ୍ୱରପୁର ଗ୍ରାମର ବଂଶୀଧର ସାହୁଙ୍କ ପୁଅ ୫୪ ବର୍ଷୀୟ ହରିହର ସାହୁ ଏବଂ ବ୍ରହ୍ମବରଦା ଥାନା ଅନ୍ତର୍ଗତ କୁଣ୍ଡପାଟଣା ଗ୍ରାମର ବିରଞ୍ଚି ନାରାୟଣ ସାହୁଙ୍କ ପୁଅ ୩୦ ବର୍ଷୀୟ ଲକ୍ଷ୍ମଣ ସାହୁଙ୍କୁ ଗିରଫ କରାଯାଇଛି।
ଏନେଇ ପାରାଦୀପ ଲକ୍ ଥାନାରେ କେସ୍ ନମ୍ବର ୩୫୯, ତାରିଖ ୩୧.୧୦.୨୦୨୬ରେ ବିଏନ୍ଏସ୍ର ଧାରା ୩୦୩(୨)/୩୧୭(୨)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ସ୍କ୍ରାପ୍ ଚାଲାଣ ପଛରେ ଏକ ସଂଗଠିତ ଯୋଗାଣ ନେଟୱର୍କ ଥିବା ସନ୍ଦେହ କରାଯାଉଛି। ଏହାର ମୁଖ୍ୟ ଯୋଗାଣକାରୀ କିମ୍ବା ମାଷ୍ଟରମାଇଣ୍ଡ କିଏ, ତାହା ଜାଣିବା ସହ ଆର୍ଥିକ କାରବାର ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଛି।
ଜଗତସିଂହପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍ପି ରବୀନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ପାରାଦୀପ ଲକ୍ ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଏହି ଚଢ଼ାଉ କରିଥିଲା। ବେଆଇନ ସ୍କ୍ରାପ୍ ଚାଲାଣ ଓ ସଂଗଠିତ ଅପରାଧ ବିରୋଧରେ ଆଗକୁ ମଧ୍ୟ କଡ଼ା ପଦକ୍ଷେପ ନିଆଯିବ ବୋଲି ପାରାଦୀପ ଲକ୍ ପୋଲିସ ପକ୍ଷରୁ କୁହାଯାଇଛି।
