• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ, ଦୈନିକ ୬୦ଟି ଗାଡ଼ିକୁ ପ୍ରବେଶ ଅନୁମତି

Byodishri Live

Nov 2, 2026

ବାରିପଦା,(ଓଡ଼ିଶ୍ରୀ ସମ୍ବାଦ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ନଭେମ୍ବର ୧ ତାରିଖରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି ମୟୂରଭଞ୍ଜ ଜିଲ୍ଲାର ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର। ଦୀର୍ଘ ମୌସୁମୀ ବନ୍ଦ ପରେ ପର୍ଯ୍ୟଟକମାନେ ଏବେ ଶିମିଳିପାଳର ସବୁଜିମା, ମନୋରମ ପ୍ରାକୃତିକ ପରିବେଶ, ଜଳପ୍ରପାତ ଓ ବନ୍ୟପ୍ରାଣୀଙ୍କ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

ପର୍ଯ୍ୟଟକଙ୍କ ସୁବିଧା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ପ୍ରବେଶ ପାଇଁ କେତେକ ନିୟମ ଜାରି କରିଛନ୍ତି। ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ପ୍ରବେଶ ଅନୁମତି ମିଳିବ। କେବଳ ୧୮୦ ମିଲିମିଟର ବା ତା’ଠାରୁ ଅଧିକ ଗ୍ରାଉଣ୍ଡ କ୍ଲିୟରାନ୍ସ ଥିବା ଗାଡ଼ିକୁ ଅନୁମତି ଦିଆଯିବ। ଏଥିମଧ୍ୟରୁ ଜଶିପୁର ପଟୁ ୩୫ଟି ଏବଂ ବାରିପଦା ପଟୁ ପିଠାବଟା (ଲୁଲୁଙ୍ଗ) ପ୍ରବେଶପଥ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ।

ପ୍ରବେଶ ସମୟ ଅନୁଯାୟୀ, ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଜଶିପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ ହେବ। ସମସ୍ତ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ଅଭୟାରଣ୍ୟରୁ ବାହାରିବା ବାଧ୍ୟତାମୂଳକ। ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ଅପରାହ୍ନ ୪ଟା ସୁଦ୍ଧା ସେଠାରୁ ଫେରିବାକୁ ପଡ଼ିବ।

ଶିମିଳିପାଳ ପ୍ରବେଶ ପାଇଁ ଅନଲାଇନ୍‌ରେ ଅନୁମତିପତ୍ର ବୁକିଂ କରିବାକୁ ହେବ। ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ପରିଚୟପତ୍ର ଦେଖାଇବାକୁ ପଡ଼ିବ ଏବଂ ପ୍ରତ୍ୟେକ ଗାଡ଼ି ସହ ନେଚର ଗାଇଡ୍‌ ରହିବା ବାଧ୍ୟତାମୂଳକ। ଗାଡ଼ି, ଯାତ୍ରୀ ଓ ସାମଗ୍ରୀଗୁଡ଼ିକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯାଞ୍ଚ କରାଯିବ।

ଜଙ୍ଗଲୀ ପରିବେଶକୁ ନିକଟରୁ ଅନୁଭବ କରିବା ପାଇଁ ବିଭାଗ ପକ୍ଷରୁ ଖୋଲା ଜିପ୍‌ ୱାଇଲ୍ଡଲାଇଫ୍‌ ସଫାରି ଓ ରାତ୍ରିଯାପନର ସୁବିଧା ରହିଛି। କୁମାରୀ, ଗୁଡ଼ଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିସ୍ଥିତ ପ୍ରକୃତି ଶିବିରରେ ରହିବା ପାଇଁ ଆଗୁଆ ଅନଲାଇନ୍‌ ବୁକିଂ କରିବାକୁ ହେବ। ଏଥର ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ପ୍ରବେଶପଥ ନିକଟରେ ଶିମିଳିପାଳ କାଫେ ମଧ୍ୟ ଖୋଲାଯାଇଛି। ଏଠାରେ ସ୍ଥାନୀୟ ଖାଦ୍ୟ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ।

ଅନ୍ୟପକ୍ଷରେ, ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରର କୋର୍‌ ଏରିଆରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ କଟକଣା ରହିଛି ବୋଲି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନର ଉପନିର୍ଦ୍ଦେଶକ ସୁମିତ କୁମାର କର ସୂଚନା ଦେଇଛନ୍ତି। କୋର୍‌ ଏରିଆରେ ଡିଏସ୍‌ଏଲ୍‌ଆର୍‌, ବ୍ରିଜ୍‌ କ୍ୟାମେରା ଓ ମିରରଲେସ୍‌ କ୍ୟାମେରା ବ୍ୟବହାର କରିହେବ, କିନ୍ତୁ ମୋବାଇଲ୍‌ କ୍ୟାମେରା ବ୍ୟବହାର ନିଷେଧ ବୋଲି କୁହାଯାଇଛି। ବଫର୍‌ ଓ ପେରିଫେରୀ ଅଞ୍ଚଳରେ ମୋବାଇଲ୍‌ ବ୍ୟବହାର କରିହେବ। ଏହାସହ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଓ ଶବ୍ଦ ପ୍ରଦୂଷଣ ଉପରେ ମଧ୍ୟ କଡ଼ା କଟକଣା ରହିଛି।

ପର୍ଯ୍ୟଟନ ଋତୁର ପ୍ରଥମ ଦିନରେ ଶିମିଳିପାଳ ଭ୍ରମଣରେ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ପର୍ଯ୍ୟଟକ ସୁମିତ ପଟ୍ଟନାୟକ, ଡକ୍ଟର ସୋନାଲୀ ମୁଖାର୍ଜୀ ଓ ଦୀପାୟନ ମୁଖାର୍ଜୀ ଏହି ଅନୁଭୂତିକୁ ନେଇ ଖୁସି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *