• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସାଥପୁରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ, ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ

Byodishri Live

Nov 2, 2026

ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସାଥପୁର ଗ୍ରାମର ଦୁର୍ଗା ମଣ୍ଡପ ପରିସରରେ ସଚେତନ ନାଗରିକ ସମାଜ ଓ ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ପାଠାଗାର, ପଥରବାଡ଼ି, ଭରତପୁରର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି। ବିଶିଷ୍ଟ ଶିକ୍ଷାବିଦ୍ ତ୍ରିଲୋଚନ ସେନାପତି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସଚେତନ ନାଗରିକ ସମାଜର ସଭାପତି ଉମେଶ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ତ୍ରିଲୋଚନ ସେନାପତି ମୁଖ୍ୟ ଅତିଥି, କଳାକାର ଓଡ଼ିଶାର ସଭାପତି ସତ୍ୟବ୍ରତ ପୃଷ୍ଟି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ବର୍ଷୀୟାନ ଶିକ୍ଷାବିଦ୍ ସୀତାରାମ ସେନାପତି, ବରିଷ୍ଠ ସମାଜସେବୀ ବସନ୍ତ କୁମାର ସ୍ୱାଇଁ, ଦୁର୍ଗାପୂଜା କମିଟିର ସଭାପତି ସୁଦାମ ଚରଣ ଦଳାଇ ଓ ଯୁବ ସମାଜସେବୀ ବିମଳ ସେନାପତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ବକ୍ତାମାନେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଓ ରାଷ୍ଟ୍ରୀୟ ଏକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏକ ଭାରତ, ଶ୍ରେଷ୍ଠ ଭାରତ ଓ ବିକଶିତ ଭାରତ ଗଠନ ଦିଗରେ ସମସ୍ତେ ନିଜର ଯୋଗଦାନ ଦେବାକୁ ସେମାନେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ପ୍ରତିଭା ନିର୍ଦ୍ଧାରଣ ଦଳାଇ, ଅନନ୍ତ ଦଳାଇ, ଭାଗ୍ୟଲକ୍ଷ୍ମୀ ଦଳାଇ, ନଟବର ଦଳାଇ, ମହାଦେବ ଦଳାଇ, ରଜନୀନ୍ଦ୍ର ଦଳାଇ, ସ୍ୱପ୍ନପ୍ରିୟା ଦଳାଇ, ନନ୍ଦିନୀ ଦଳାଇ, ଶରତ ଦଳାଇ, ଶ୍ୟାମସୁନ୍ଦର ଦଳାଇ, ମୃଣାଳିନୀ ଦଳାଇ ଓ ତ୍ରିଲୋଚନ ଦଳାଇଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଗ୍ରାମର ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର, ଖାତା, କଲମ ଭଳି ପାଠ୍ୟ ଉପକରଣ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏଥିସହ ଜୀବନବ୍ୟାପୀ ସାହିତ୍ୟ ସାଧନା ଓ ସମାଜସେବା ପାଇଁ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅଝିଅଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ପାଠାଗାରର ମୁଖ୍ୟ ସଂଯୋଜକ ପଣ୍ଡିତ ଭୂପେଶ କୁମାର ସେନାପତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ପାଠାଗାରର ସମ୍ପାଦକ ତଥା କବି ହିମାଂଶୁ ଭୂଷଣ ଜେନା ଅତିଥି ପରିଚୟ ଓ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷକ ବିକାଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମର ଆବାଳବୃଦ୍ଧବନିତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *