ଫୁଲବାଣୀ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଘଟିଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଉମାଚରଣ ମଲ୍ଲିକ।
ବିଧାୟକ ଫୁଲବାଣୀ ବ୍ଲକ୍ର ଜାମୁଝୋରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଦାଲି, କାପାଲିପି, ଟଡ୍ରି ଓ କଟ୍ରିଙ୍ଗିଆ ସମେତ କାଣିବାଲି, କାକାମାହା ଓ କଦମ୍ବପଦର ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ଘରଦ୍ୱାର, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ପରିବାରଗୁଡ଼ିକ ସହ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହୋଇଥିଲେ।
ଏହି ପରିଦର୍ଶନ ସମୟରେ ଯୋଗ୍ୟ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ କ୍ଷୟକ୍ଷତିର ସଠିକ୍ ଆକଳନ କରି ଆବଶ୍ୟକୀୟ ରିପୋର୍ଟ ପ୍ରସ୍ତୁତ କରିବା ଦିଗରେ ତତ୍ପରତା ପ୍ରକାଶ କରିବାକୁ କହିଥିଲେ।
ଏହି ଗସ୍ତ ସମୟରେ ଜିଲ୍ଲା ବିଜେପି ସମ୍ପାଦକ ଦେବାଶିଷ ପ୍ରିୟଦର୍ଶିନୀ ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଆଦିତ୍ୟ କହଁର, ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର, ସାଧାରଣ ସମ୍ପାଦକ ଜୟନ୍ତ କହଁର, ଶକ୍ତିକେନ୍ଦ୍ର ପ୍ରମୁଖ ଅନନ୍ତ କହଁର, ଅନିଲ ପ୍ରଧାନଙ୍କ ସମେତ ରାଜସ୍ୱ ବିଭାଗର ଅଧିକାରୀ ଓ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
