୧୫ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ ଦାବି; ସାମିଲ ହେଲେ ସୁଧାଂଶୁ ତ୍ରିବେଦୀ, ମନମୋହନ ସାମଲ ଓ ପ୍ରଭାତୀ ପରିଡ଼ା
କଟକ, (ଓଡ଼ିଶ୍ରୀ ସମ୍ବାଦ): ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଆହ୍ୱାନରେ କଟକ ସହରରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥିତ କଲେଜ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏହି ପଦଯାତ୍ରା ଆରମ୍ଭ ହୋଇ ଦୋଳମୁଣ୍ଡାଇ ଛକରେ ଶେଷ ହୋଇଥିଲା।
ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡା. ସୁଧାଂଶୁ ତ୍ରିବେଦୀ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିରେ ୧୫ ହଜାରରୁ ଊର୍ଦ୍ଧ୍ୱ ଦଳୀୟ କାର୍ଯ୍ୟକର୍ତ୍ତା ଓ ସମର୍ଥକ ସାମିଲ ହୋଇଥିବା ଦାବି କରାଯାଇଛି।
ପଦଯାତ୍ରା ଅବସରରେ ଡା. ତ୍ରିବେଦୀ ନିଜ ଅଭିଭାଷଣରେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଓ ନୀତିଗତ ପ୍ରଶ୍ନର ମୁକାବିଲା କରିବାରେ ବିଫଳ ହୋଇ ବିରୋଧୀ ବ୍ୟକ୍ତିଗତ ଆକ୍ରମଣ କରୁଥିବା ସେ ଅଭିଯୋଗ କରିଥିଲେ। ରାଜନୀତିରେ ଜନସାଧାରଣଙ୍କୁ ଭ୍ରମିତ କରିବାର ଉଦ୍ୟମକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ। ସେମାନେ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ବିରଞ୍ଚି ନାରାୟଣ ତ୍ରିପାଠୀ, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ସୁଦୀପ୍ତ ରାୟ, ତେଜେଶ୍ୱର ପରିଡ଼ା, ସୁକାନ୍ତ ବିଶ୍ୱାଳ, ରାମନାରାୟଣ ମହାନ୍ତି, ଇଂ. ଜ୍ଞାନଦେବ ବେଉରା, ବିଜୟ ଦଳବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ଛବି ମଲ୍ଲିକ, ନୟନ କିଶୋର ମହାନ୍ତି, ଡା. ପ୍ରଭାତ ରଞ୍ଜନ ବିଶ୍ୱାଳ, ଶୁଭ୍ରାଂଶୁ ମୋହନ ପାଢ଼ୀ, ଲଲାଟେନ୍ଦୁ ବଡ଼ୁ, ବିନୋଦ ଦାଶ, ରଶ୍ମିରେଖା ଦାଶ, ଶ୍ରୀତମ ଦାଶ ଓ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
